କଟକ : ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ମିଳିଛି ବଡ଼ ସଫଳତା । କଟକ ଫୁଲନଖରା ଛକରୁ ବିପୁଳ ପରିମାଣ ଧଳା ଜହର ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ନିଆଳି ଅଞ୍ଚଳର ନିଶା ବ୍ୟବସାୟୀ ସମରେନ୍ଦ୍ର ମହାନ୍ତିକୁ ଗିରଫ କରିଛି ବିଭାଗ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ସୂଚନାରୁ ପ୍ରକାଶ ।
ସମରେନ୍ଦ୍ର ନିଜେ ବ୍ରାଉନ ସୁଗାର ସେବନ କରେ ଓ ବିକ୍ରୀ ମଧ୍ୟ କରେ । ଆଜି ସେ ଫୁଲନଖରା ଛକରେ ବ୍ରାଉନ ସୁଗର ବିକ୍ରୀ କରୁଥିବା ଖବରପାଇ ଅବକାରୀ ବିଭାଗର ଏକ ଟିମ୍ ତାକୁ କାବୁ କରିଥିଲା । ଏହାସହ ତା ନିକଟରୁ ୪୨୦ ଗ୍ରାମ ଧଳା ଜହର ଜବତ କରିଥିଲା । ଏହି ନିଶା ବ୍ୟବସାୟୀ ଜଣକ ଭଦ୍ରକରୁ ବ୍ରାଉନ ସୁଗାର ଆଣି ଫୁଲନଖରା, ନିଆଳି ଓ ଆଖପାଖ ଅଞ୍ଚଳରେ ବିକ୍ରୀ କରୁଥିଲା ବୋଲି କହିଛନ୍ତି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ ।
ଇଟିଭି ଭାରତ, କଟକ