କଟକ: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । କମ୍ପୁଛି କଟକରୁ କଳାହାଣ୍ଡି । ଆଜି(ବୁଧବାର) କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛି କଟକ ବିଜେପି ।
ମମିତା ହତ୍ୟାକାଣ୍ଡରେ ଉଦାସୀନତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସବୁ ସ୍ଥାନରେ ସାମାଜିକ ବାସନ୍ଦ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବର୍ଜନ କରାଯିବା ସହିତ ଗାଡିର ଚକ ଗଡାଇବାକୁ ନ ଦିଆଯିବା ବ୍ୟବସ୍ଥା କରାଯାଇଛି। ଯେଉଁଠିକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ସେଠାରେ ବିଜେପି ପ୍ରବଳ ବିରୋଧ କରୁଛି। ଏହାସହିତ କଳାପତାକା ପ୍ରଦର୍ଶନ ସହିତ ଅଣ୍ଡାମାଡ ହୋଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ ସମୟରେ ପୋଲିସଙ୍କ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ‘ନବୀନ ପଟ୍ଟନାୟକ ଫେରିଯାଅ’ ନାରାବାଜିରେ କମ୍ପିଥିଲା ଅରିଲୋ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ବିରୋଧ ପ୍ରଦର୍ଶନ କରିଥିବା ସମସ୍ତ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍ ,ଇଟିଭି ଭାରତ