କଟକ: ଅନୁଭବ-ବର୍ଷାଙ୍କ କଳି ହାଟରେ ପଡି ଏବେ ଦାଣ୍ଡରେ ଗଡିଲାଣି । ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ ପରେ ପ୍ରେସ ବିଜ୍ଞପ୍ତି ଜାରି କରି ନିଜର ପକ୍ଷ ରଖିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।
ଦୀର୍ଘ ଦିନ ଧରି ଘଟଣାରେ ନୀରବତା ରକ୍ଷା କରିଥିଲେ ବୋଲି ଅନୁଭବ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି । ତେବେ ଘଟଣା ମିଡିଆରେ ପ୍ରକାଶ ହେବା ପରେ ମୁଁ ମୋ ପକ୍ଷ ରଖିବାକୁ ବାଧ୍ୟ ହେଲି ବୋଲି ଅନୁଭବ କହିଛନ୍ତି । ‘‘ମୁଁ ବର୍ଷାଙ୍କୁ ବହୁତ ଭଲ ପାଏ ଏବଂ ତାଙ୍କ ସମ୍ନାନ କରେ । ଏବେ ବି ମୁଁ ତାଙ୍କୁ ସେତିକି ଭଲ ପାଉଛି । ମୁଁ ବହୁତ ଚେଷ୍ଟା କରିଥିଲି ଆମ ଭିତରେ ଥିବା ଭୁଲ ବୁଝାମଣାକୁ ସୁଧାରିବା ପାଇଁ । ମାତ୍ର ତାହା ହୋଇ ପାରିଲା ନାହିଁ । ’’ ବୋଲି ଅନୁଭବ ପ୍ରେସ ରିଲିଜରେ ଉଲ୍ଲେଖ କରିଛନ୍ତି ।
‘‘ଆମ ଦୁହିଁଙ୍କ ସାମାଜିକ ପ୍ରତିଷ୍ଠା ଓ ସମ୍ମାନକୁ ବଜାୟ ରଖିବା ପାଇଁ ମୁଁ ଏବଂ ମୋ ପରିବାର ବହୁ ଚେଷ୍ଟା କରିଥିଲୁ । ଶେଷରେ ବିଫଳ ହେବା ପରେ ମୁଁ ଗତ ଜୁଲାଇ ମାସରେ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ପିଟିସନ ଦାଖଲ କରିଛି । ’’
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ମାମଲା କୋର୍ଟରେ ବିଚାରଧିନ ଥିବାରୁ ଏନେଇ ମୁଁ ଅଧିକ କିଛି କହିବାକୁ ଚାହୁଁ ନାହିଁ । ମୁଁ ଆଶା କରେ କୋର୍ଟ ସଠିକ ନିଷ୍ପତି ନେବେ । ଏଥି ସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ମୋର ଏବଂ ବର୍ଷାଙ୍କ ଏହା ବ୍ୟକ୍ତିଗତ ମାମଲା । ତେଣୁ ଏଥିରେ କୌଣସି ଅପପ୍ରଚାର ନହେବା ଉଚିତ୍ । ଏହାଦ୍ବାରା ସମାଜରେ ଉଭୟଙ୍କ ସହ ପରିବାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ।’’
କଟକରୁ ନାରାୟଣ ସାହୁ, ଇଟିଭି ଭାରତ