କଟକ: ଆଜି ବଲିଉଡ ସେହେନ୍ସା ବିଗ ବି ଅମିତାଭ ଵଚ୍ଚନଙ୍କ ଜନ୍ମ ଦିନ । ଏନେଇ ଦେଶ ଓ ବିଦେଶରେ ଥିବା କୋଟି କୋଟି ଫ୍ୟାନ୍ସଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ କଟକର ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଗତ 13 ବର୍ଷ ଧରି ବିଗ ବି ଙ୍କ ଜନ୍ମ ଦିନ ଅତି ଧୂମ ଧାମରେ ପାଳନ କରି ଆସୁଛନ୍ତି । ସେ ହେଉଛନ୍ତି ଧନେଶ୍ବର ସେଠୀ । ଯିଏ ଅମିତାଭଙ୍କୁ ତାଙ୍କ ଭଗବାନ ବୋଲି ମାନିଥାନ୍ତି । ଆଉ ତାଙ୍କର ଜନ୍ମ ଦିନ ଆସିଲେ ଖୁସି ରେ ଆତ୍ମହରା ହୋଇପଡିନ୍ତି ସେ ।
ପେଷାରେ ଜଣେ ପାନ ଦୋକାନୀ । ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀରେ ପାନ ଦୋକାନ କରି ନିଜର ଗୁଞ୍ଜରାଣ ମେଣ୍ଟାନ୍ତି ଧନେଶ୍ବର । ଯେବେଠୁ ହେତୁ ପାଇଛି ସେ କବେଳ ଅମିତାଭଙ୍କୁ ହିଁ ପସନ୍ଦ କରନ୍ତି । 45 ବର୍ଷ ବୟସରେ ମଧ୍ୟ ଏହି ନିଶାରେ ପଡିନି ପୂର୍ଣ୍ଣଛେଦ । ତାଙ୍କ ଭାଷାରେ ବିଗ ବି ତାଙ୍କ ପାଇଁ ଭଗବାନ । ଆଉ ସେ ତାଙ୍କ ପାଇଁ କିଛି ବି କରିବେ ବୋଲି ସେ ମତ ରଖିଛନ୍ତି ।
ଅନ୍ୟପଟେ ପରିବାର ଧନେଶ୍ବରଙ୍କ ଏପରି ଉତ୍ସାହିତ ମନୋଭାବ ଦେଖି ଏହି ଦିନକୁ ଅପେକ୍ଷା କରିଥାନ୍ତି । ଏମିତକି ଘରେ ଯେତେବେଳେ ଟିଭି ଅନ୍ ହୁଏ ସେତେବେଳେ ଅମିତାଭ ଫିଲ୍ମ ଯଦି ଆସୁଥିବ ତେବେ ପରିବାର ଲୋକେ ଆଉ ଟିଭି ଦେଖିବାର ସୁଯୋଗ ବି ପାଇବେନି । କାରଣ ସେ ଫିଲ୍ମ ସରିବା ପର୍ଯ୍ୟନ୍ତ କୌଣସି ବି ଦୃଶ୍ୟକୁ ମିସ୍ କରନ୍ତିନି ।
ପ୍ରଥମ ଫିଲ୍ମରୁ ଆଜି ପର୍ଯ୍ୟନ୍ତ ସବୁ ଫିଲ୍ମ ଦେଖିକି ମନର ଥିବା ସେହି ଭଲ ପାଇବାକୁ ଆହୁରି ବୃଦ୍ଧି କରି ଚାଲିଛନ୍ତି ଧନେଶ୍ବର । ତେବେ ଆଗମୀ ଦିନରେ ଯଦି ତାଙ୍କ ଘରକୁ ଅମିତାଭ ପାଦ ରଖନ୍ତେ ତେବେ ସେ ଜୀବନର ସବୁ ଖୁସି ପାଇଯାନ୍ତେ ବୋଲି କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ