କଟକ: ହାଥରସ ଗଣଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ଦାବି ନେଇ ଆଜି (ଗୁରୁବାର) କଟକରେ ଏଆଇଏମଏସଏସ ଓଡ଼ିଶା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶରେ ଦିନକୁ ଦିନ ନାରୀମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଏକ ତରଫା ପ୍ରେମକୁ ନେଇ ନାରୀକୁ ଏସିଡ ଆକ୍ରମଣର ଶିକାର ହେବାକୁ ପଡ଼ୁଛି ତ କେଉଁଠି ନାରୀକୁ ହତ୍ୟା କରାଯାଉଛି । ଏହାସହ ଆଜିର ସମାଜରେ ମଧ୍ୟ ନାରୀ ଯୌତୁକ ନିର୍ଯାତନାର ଶିକାର ହେଉଛନ୍ତି । ଏହାର ପ୍ରତିବାଦ କରିଛି ସର୍ବଭାରତୀୟ ମହିଳା ସାଂସ୍କୃତିକ ସଂଗଠନ(AIMSS) ଓଡ଼ିଶା।
ଏହି ସମସ୍ତ ସମସ୍ୟାର ମୂଳ କାରଣ ସାମାଜିକ ଗଣମାଧ୍ୟମରେ ବଢ଼ୁଥିବା ଅଶ୍ଲୀଳତା ଓ ମାଦକ ଦ୍ରବ୍ୟ ବୋଲି ଅଭିଯୋଗ କରିଛି କେନ୍ଦ୍ରୀୟ ମହିଳା ସଂଗଠନ। ଏହାସହ ହାଥରସ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ମହିଳା ସାଂସ୍କୃତିକ ସଂଗଠନ ।
ଯଥାଶୀଘ୍ର ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ।
ହାଥରସ ଗଣ ଦୁଷ୍କର୍ମ ମାମଲାକୁ ଗୋଟିଏ ମାସରୁ ଅଧିକ ସମୟ ବିତି ଯାଇଛି। ହେଲେ ଏଯାଏଁ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଧରିବାରେ ଅସଫଳ ରହିଛି ପୋଲିସ। ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନର ମାହୋଲ ଦେଖା ଦେଇଥିଲା। ଏହାକୁ ନେଇ ରାଜନୀତି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର 14 ତାରିଖରେ ଏହି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ହୋଇଥିଲା। ଏହାପରେ ପିଡ଼ିତାଙ୍କ ମୃତ୍ୟୁ ହୋଇଥିବା ବେଳେ ବେଆଇନ ଭାବେ ପୋଲିସ ପିଡ଼ିତାଙ୍କ ମୃତଦେହକୁ ସତ୍କାର କରିଥିବା ଅଭିଯୋଗ ହୋଇଥିଲା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ