କଟକ: କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ କୃଷକଙ୍କ ନାଁରେ ଜାଲିଆତି କରି ଋଣ ରାଶି ଉଠାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଏଥିରେ ଏପରି କୃଷି ଋଣ ଜାଲିଆତି ମାମଲାର ସିବିଆଇ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି।
ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଗତ 27 ତାରିଖ ଦିନ ବିଧାନସଭା ସମ୍ମୁଖରେ ଆଠଗଡ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଗ୍ରାମର ତିନିଜଣ ଚାଷୀ ଆତ୍ମହୁତି ଉଦ୍ୟମ କରିଥିଲେ। ସମବାୟ ମନ୍ତ୍ରୀ ଓ ତାଙ୍କ ଭାଇଙ୍କ ନାଁରେ ଚାଷୀମାନେ ସଙ୍ଗୀନ ଅଭିଯୋଗ ଆଣିଥିଲେ।
ସେହିପରି କୃଷି ଋଣ ଭଳି ଜାଲିଆତି ସଂକ୍ରାନ୍ତରେ ଜାଣିବା ପରେ ଚାଷୀମାନେ କଟକ ଜିଲ୍ଲାପାଳ, ଏସପି ଓ ସମବାୟ ଡେପୁଟି ରେଜିଷ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଅନ୍ୟପକ୍ଷରେ ଋଣ ପରିଶୋଧ ପାଇଁ ବ୍ୟାଙ୍କ୍ ଚାଷୀଙ୍କୁ ଧମକ ଦେଉଛି।
ଏହି ଋଣ ଜାଲିଆତି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଜଡିତ ଥିବା ଅଭିଯୋଗ ରହିଥିବାବେଳେ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଘଟଣାର ସ୍ବାଧୀନ ଭାବେ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ