କଟକ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପୁଣି କ୍ରାଇମବ୍ରାଞ୍ଚରେ ଆତ୍ମୀୟ । ତଦନ୍ତର ଶିଥିଳତାକୁ ନେଇ ଉଠାଇଲେ ପ୍ରଶ୍ନ । ଏ ନେଇ ଆଦିତ୍ୟ ଦାସଙ୍କ ଆତ୍ମୀୟ ଓ ପ୍ରଶଂସକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । କ୍ରାଇମବ୍ରାଞ୍ଚକୁ ଆତ୍ମୀୟ ଓ ପ୍ରଶଂସକ ୩୭ ଟି ପ୍ରଶ୍ନ ମାଧ୍ୟମରେ ନ୍ୟାୟ ଦାବି କରିଛନ୍ତି ।
ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ ଖୁଲାସା ହୋଇପାରିନାହିଁ । ଏହାକୁ ନେଇ ପୁଣି ଥରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଛନ୍ତି ମୃତ ଆଦିତ୍ୟ ଦାସଙ୍କ ମା ପଦ୍ମାଳୟା ଦାସ ଓ ପ୍ରଶଂସକ । ତଦନ୍ତରେ ଡେରି ହୋଇଛି ସିବିଆଇକୁ ତଦନ୍ତ ଭାର ଦିଆଯାଉ ନିରପେକ୍ଷ ଭାବେ ତଦନ୍ତୁ ହୋଇପାରିବ ବୋଲି କହିଛନ୍ତି । ଯଦି ଆମକୁ ନ୍ୟାୟ ନ ମିଳେ ତେବେ ବାପା ମା ଦୁହେଁ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି ।
ସୂଚନା ଥାଉକି ଗତ ଜୁଲାଇ ମାସ ୭ ତାରିଖରେ ମାନବପ୍ରେମୀ ଆଦିତ୍ୟଙ୍କ ମୃତଦେହ ରାଜଧାନୀର ଭୁବନେଶ୍ବରର ଲିଙ୍ଗରାଜ ଷ୍ଟେସନ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା । ଆଦିତ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରି ଜିଆର୍ପି ପୋଲିସ ତଦନ୍ତ କରିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଦୋଷୀଙ୍କୁ ଖୋଜିପାରିନାହିଁ ।
କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ