କଟକ: କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ କେଟୁଆପାଳରେ ୧୯୯୫ରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ କେନ୍ଦ୍ରାପଡ଼ା ଅତିରିକ୍ତ ଦୌରା ଜଜ୍ ଦୋଷୀଙ୍କୁ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଅତିରିକ୍ତ ଦୌରାଜଜ୍ ଅଦାଲତଙ୍କ ୧୯୯୯, ଅକ୍ଟୋବର ୧୧ର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ ଦାୟର ହୋଇଥିଲା। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅପିଲର ଶୁଣାଣି କରି ନିମ୍ନ ଅଦାଲତଙ୍କ ୧୯୯୯, ଅକ୍ଟୋବର ୧୧ର ଦଣ୍ଡାଦେଶକୁ ରଦ୍ଦ କରିବା ସହିତ ଆବେଦନକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୫, ମେ’୨୧ ଦିନ ପ୍ରାୟ ସାଢେ ଗୋଟାଏ ବେଳେ କେଟୁଆପାଳ ଜଳସେଚନ କେନାଲ ବନ୍ଧ ନିକଟରେ ଋଷି ସେଠୀଙ୍କୁ କେତେକ ବ୍ୟକ୍ତି ମାରଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିଲେ। ହସ୍ପିଟାଲ ନେବା ବାଟରେ ଋଷିଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ପରଦିନ ଏ ନେଇ ଆଳି ଥାନାରେ ଏତଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଅଦାଲତରେ ୧୮ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୫୦୬ ଓ ୧୪୯ରେ ଚାର୍ଜସିଟ ଦାଖଲ କରିଥିଲେ।
ଅଦାଲତରେ ଶୁଣାଣି ସମୟରେ ପ୍ରସିକ୍ୟୁସନ୍ ପକ୍ଷରୁ ୧୨ଜଣ ଓ ପ୍ରତିପକ୍ଷଙ୍କ ତରଫରୁ ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କ ମାମଲାର ପରବର୍ତ୍ତୀ ସମୟରେ ପୃଥକ ଭାବେ ଶୁଣାଣି ହୋଇଥିଲା। ରସାନନ୍ଦ ଜେନାଙ୍କ ସମେତ ୬ଜଣଙ୍କୁ ଅଦାଲତ ଆଇପିସିର ଦଫା ୩୦୨ ଓ ୧୪୯ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ରସାନନ୍ଦ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ଆବେଦନ ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ୨୦୧୫ରେ ରସାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଥିଲା। ଏହି ଘଟଣାରେ ପ୍ରସିକ୍ୟୁସନ୍ ପକ୍ଷରୁ ସାକ୍ଷ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କର ଅଭିଯୁକ୍ତଙ୍କ ସହିତ ରାଜନୈତିକ ଶତ୍ରୁତା ଥିଲା। ଏଥି ସହିତ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ ନ ହେବା ଓ ପୁଲିସ ଦ୍ବାରା ଜବତ ମାରଣାସ୍ତ୍ର ଅଦାଲତରେ ଉପସ୍ଥାପନ କରା ନ ଯିବା ଘଟଣା ଯୋଗୁଁ ଅଭିଯୁକ୍ତଙ୍କୁ ଦୋଷୀ ସାବସ୍ୟ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।
ଖଣ୍ଡପୀଠ ମାମଲାର ଶୁଣାଣି କରି ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିଛନ୍ତି। ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ପୂର୍ବରୁ ଫେରାର ଥିବା ଅଭିଯୁକ୍ତ ଜଣଙ୍କ ମାମଲାର ନିମ୍ନ ଅଦାଲତରେ ଶୁଣାଣି ହୋଇଥିଲା। ନିମ୍ନ ଅଦାଲତ ୨୦୦୨, ଏପ୍ରିଲ ୨୬ରେ ସଂପୃକ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମୂଳ ମାମଲାରେ ଯେଉଁ ତିନି ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସଂପୃକ୍ତ ସାକ୍ଷୀମାନେ କିନ୍ତୁ ପୃଥକ ଭାବେ ଶୁଣାଣି ହୋଇଥିବା ମାମଲାରେ ନିଜ ବୟାନ ବଦଳାଇଥିଲେ। ୨୦୦୦, ନଭେମ୍ବର ୧୮ ଓ ୨୦୦୧, ଜାନୁଆରି ୩୦ରେ ଏହି ତିନି ସାକ୍ଷୀ ଅଦାଲତରେ ବୟାନ ଦେଇ କହିଥିଲେ ଯେ ଜଣେ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ କହିବା ଅନୁସାରେ ସେମାନେ ପୂର୍ବ ବୟାନ ଦେଇଥିଲେ।
ଦ୍ବିତୀୟ ମାମଲାରେ ସାକ୍ଷୀଙ୍କ ଏପରି ବୟାନର ସାର୍ଟିଫାଏଡ଼ କପି ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଦ୍ବିତୀୟ ମାମଲାରେ ସାକ୍ଷୀଙ୍କ ପରିବର୍ତ୍ତିତ ବୟାନକୁ ବିଚାରକୁ ନେବା ପାଇଁ ଆବେଦନକାରୀ ପ୍ରାର୍ଥନା କରି ଏକ ଅନ୍ତରୀଣ ଆବେଦନ ହାଇକୋର୍ଟ ଦାଖଲ କରିଥିଲେ। ଅପରାଧିକ ମାମଲାରେ ଗୋଟିଏ ମାମଲାରେ ରେକର୍ଡ କରାଯାଇଥିବା ବୟାନ ଅନ୍ୟ ଏକ ମାମଲାରେ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ରାୟ ଦେବା ସହିତ ଏପରି ବୟାନର ସାର୍ଟିଫାଏଡ୍ କପି ଗ୍ରହଣ ସଂପର୍କିତ ଆବେଦନକୁ ଖାରଜ କରିଛନ୍ତି। ମାମଲାର ଚୂଡାନ୍ତ ରାୟ ସହିତ ଏହି ଅନ୍ତରୀଣ ଆବେଦନର ମଧ୍ୟ ରାୟ ପ୍ରକାଶ ପାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ