କଟକ: ଦେଶରେ ଲକଡାଉନ ଜାରି ରହିଥିବା ବେଳେ କଟକରେ ଚାଲିଛି ଚୋରା ମଦ କାରବାର । ଯାହାକୁ ନେଇ 2 ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ 14ଟି ମଦ ପେଟିରେ ଥିବା 337 ଟି ମଦ ବୋତଲ ଜବତ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା କୌଣସି ଦୋକାନରୁ ନୁହେଁ ବରଂ ଜଣଙ୍କ ଘରୁ ଜବତ କରାଯାଇଛି ।
ସୂଚନାମୁତାବକ, ସୋମବାର ବିଳମ୍ବିତ ରାତିରେ ପୁରୀ ଘାଟ ଥାନା ଅନ୍ତର୍ଗତ ହରିପୁରର ଏହି ଘଟଣା । ପୋଲିସ ଖବରପାଇ 2 ବ୍ୟବସାୟୀ ପ୍ରତାପ ମୁଳିଆ ଓ ରାଜୀବ ଦାସକୁ ଗିରଫ କରିଛି । ତେବେ ପ୍ରଶ୍ନ ଉଠୁଛି ଲକ ଡାଉନର ସୁରକ୍ଷା ବଳୟ ମଧ୍ୟରେ ଏତେ ପରିମାଣରେ ମଦ ଆସିଲା କେମିତି । ଉଭୟଙ୍କୁ କୋର୍ଟ ଚାଲାଣ କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଏହାଛଡା ସହରରେ ମଦର ପ୍ରବେଶ କିପରି ହେଉଛି ସେନେଇ ଅବକାରୀ ବିଭାଗକୁ ପୋଲିସ ଚିଠି ଲେଖିଥିବା ଜଣାପଡିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭ ଭାରତ