ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ତେବେ ଫନି ପ୍ରଭାବରେ ଆଜିବି ଅଣ୍ଟା ସଳଖି ପାରୁନି ସର୍ବାଧିକ କ୍ଷତି ସହିଥିବା ରାଜଧାନୀ । ତେଣୁ ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଇବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଉନ୍ମୁକ୍ତ ଫାଉଣ୍ଡେସନ ଏହି ଯୁବପିଢି।
ଏୟାରପୋର୍ଟ ରୁ ଏଜି ଛକ, କଳିଙ୍ଗ ହସ୍ପିଟାଲ ରୁ ଆଚାର୍ଯ୍ୟ ବିହାର ଆଦି ସବୁ ଛକକୁ ନିଜ ହାତରେ ସଜାଡ଼ୁଛନ୍ତି ଏହି ଯୁବପିଢି । ପ୍ରତିଦିନ ସକାଳୁ 7 ଟାରୁ ଦିନ 10ଟା ପର୍ଯ୍ୟନ୍ତ ରାଜରାସ୍ତା କଡ଼ରେ ପଡି ରହିଥିବା ସମସ୍ତ ଗଛକୁ ଏମାନେ ମିଶି ପୁଣି ଛିଡା କରୁଛନ୍ତି । ଆଉ ତାଙ୍କୁ ଏ କାମରେ ସମସ୍ତ ସହଯୋଗର ହାତ ବଢ଼ାଇଛନ୍ତି ବନ ବିଭାଗ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ସେମାନେ 500 ରୁ ଅଧିକ ପଡି ରହିଥିବା ଗଛକୁ ଆଉ ଥରେ ନୂଆ ଜୀବନ ଦେଉଛନ୍ତି । ତେବେ ଆଗକୁ ଦେଖିବା ବାକି ରହିଲା ଏଭଳି ପ୍ରଶଂସନୀୟ ପଦକ୍ଷେପରେ ଆଉ କେତେ ଯୁବ ପିଢି ସାମିଲ ହେଉଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ