ବଲାଙ୍ଗୀର: ଡିସେମ୍ବର ୨ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିରେ ପ୍ରାଥମିକ ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କିଣା ଆରମ୍ଭ ହୋଇଛି । ହେଲେ ଏଥିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ଚାଷୀ ଧାନ ଆଣି ମଣ୍ଡିରେ ରଖିଥିବା ବେଳେ ଏଯାଏଁ ମଣ୍ଡିରୁ ମିଲର ଧାନ ଉଠାଇ ନାହିଁ । ଯାହାଦ୍ୱାରା ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଥିବା ଅଭିଯୋଗ ଆଣିଛନ୍ତି । ମଣ୍ଡିରୁ ଧାନ ଉଠି ନଥିବା ବେଳେ ଚାଷୀଙ୍କୁ ବର୍ଷା ଭୟ ଘାରିଛି । ରାଜ୍ୟରେ ଲଘୁଚାପ ବର୍ଷା ସମ୍ଭାବନା ଥିବା ବେଳେ ଧାନ ନଷ୍ଟ ହେବାର ଆଶଙ୍କା ଚାଷୀକୁ ଡରାଇଛି । ସେପଟେ ମଣ୍ଡିରୁ ଧାନ ଉଠାଇବାରେ ଖିଲାପ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ମଣ୍ଡିରେ ପଡ଼ି ରହିଛି ଚାଷୀଙ୍କ ଧାନ:
ଏନେଇ ବଲାଙ୍ଗୀର ମଳମୁଣ୍ଡା ଅଞ୍ଚଳର ଚାଷୀ ପ୍ରଦୀପ କୁମାର ପଟେଲ କହିଛନ୍ତି, "ଏଥର ଭଲ ଚାଷ ହୋଇଥିଲା । ଅମଳ ମଧ୍ୟ ଭଲ ହୋଇଛି । ଗତ ୭ ତାରିଖରୁ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣିଛି । ହେଲେ ଏଠି ଧାନ ଏଯାଏଁ ଉଠିନାହିଁ । ମୋର ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଏପରିକି ଆଗକୁ ବର୍ଷା ଆସିବାର ସମ୍ଭାବନା ଥିବା ବେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ମିଲର ଧାନ ନେବ ନାହିଁ । ସମାଧାନ ପାଇଁ ଏଠାକୁ କେହି ଆସୁନାହାନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଧାନ ମିଲରେ ପଶ୍ଚିମବଙ୍ଗ ଟ୍ରକ, ଚାଲିଛି ଖୋଳତାଡ ଏହା ମଧ୍ୟ ପଢ଼ନ୍ତୁ...୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର |
ସେହିପରି ଆଉ ଜଣେ ଚାଷୀ ଚୈତନ୍ୟ ପଟେଲ କହିଛନ୍ତି, "ଏଥର ଚାଷ ଭଲ ହୋଇଛି ଓ ଅମଳ ମଧ୍ୟ ଭଲ ହୋଇଛି । ଗତ ୧୪ ତାରିଖରୁ ମୁଁ ମଣ୍ଡିରେ ଧାନ ଆଣି ରଖିଛି । ମୋର ଧାନର ମାନ ମଧ୍ୟ ପରୀକ୍ଷା ସରିଛି । ହେଲେ ମିଲର ଧାନ ଉଠାଉ ନାହାନ୍ତି । ମୋର ଧାନ ପଡ଼ି ରହିଛି । ମିଲର ଏଫଏକ୍ୟୁ ନାଁରେ କଟନୀ ଛଟନୀ କହୁଛି । ହେଲେ ଆମ ପାଖରେ କୌଣସି ମେସିନ ନାହିଁ ଯାହାଦ୍ୱାରା ଆମେ ଧାନ ସଫା କରିବୁ । ତେଣୁ ଆମେ ହଇରାଣ ହେଉଥିବା ବେଳେ ଏହାର ସମାଧାନ ହେଉ ।"
ମିଲରଙ୍କୁ କାରଣ ଦର୍ଶାଅ ନୋଟିସ:
ସେପଟେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି, "ଧାନ କିଣା ଠିକ ଚାଲିଛି । ଏଯାଏଁ ୧୩୬ ଧାନ ମଣ୍ଡି କାର୍ଯ୍ୟକ୍ଷମ ହୋଇଛି । ଆଗକୁ ସବୁ ଧାନ ମଣ୍ଡି କାର୍ଯ୍ୟକ୍ଷମ ହୋଇ ଯିବ । ଏଯାଏଁ ୩ ଲକ୍ଷରୁ କ୍ୟୁଣ୍ଟାଲରୁ ଅଧିକ ଧାନ କ୍ରୟ ସରିଛି । କିଛି ମିଲର ମାନମାନି କରୁଥିଲେ । ୪ ଜଣ ମିଲରଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଆଗକୁ ସବୁର ସମାଧାନ ହୋଇଯିବ । ଏଫଏକ୍ୟୁ ଧାନରେ କଟନୀ ଛଟନୀ ହେଉନାହିଁ ।" ତେବେ ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ୧୪୭ଟି ପ୍ରାଥମିକ ସମବାୟ ସମିତି ଓ ୧୮ଟି ମହିଳା ଏସଏଚଜି (SHG) ଜରିଆରେ ଧାନ କିଣା ନିଷ୍ପତ୍ତି ହୋଇଛି । ଯେଉଁଥିରେ ୬୮ଟି ମିଲରକୁ ସାମିଲ କରାଯାଇଛି । ଜିଲ୍ଲା ଧାନ କ୍ରୟ କମିଟି ଦ୍ୱାରା ଗତ ୨ ତାରିଖରୁ ଧାନ କିଣା ଯିବାର ନିଷ୍ପତ୍ତି ଅନୁସାରେ ଧାନ କିଣା ଆରମ୍ଭ ହୋଇଛି ।
ଇଟିଭି ଭାରତ, ବଲାଙ୍ଗୀର