ଭୁବନେଶ୍ବର: ବିଶିଷ୍ଟ ଉଦ୍ୟୋଗପତି ତଥା ୫ଏଫ୍ ୱାର୍ଲ୍ଡର ଅଧ୍ୟକ୍ଷ ଡଃ ଗଣେଶ ନଟରାଜନଙ୍କ ସମେତ ଏକ ପ୍ରତିନିଧି ଦଳ ଆଜି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଦକ୍ଷତାର କେନ୍ଦ୍ରବିନ୍ଦୁ ହେବାକୁ ଥିବା ୱାର୍ଲ୍ଡ ସ୍କିଲ ସେଣ୍ଟରର ଉନ୍ନତ ବୈଷୟିକ ଭିତ୍ତିଭୂମି ଦେଖି ସେ ଅବିଭୂତ ହେବା ସହ ଆଗାମୀ ଦିନରେ ସହଭାଗିତା କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।
ନଟରାଜନ କହିଛନ୍ତି ଯେ, କ୍ଷୁଦ୍ର ପ୍ରୟାସରୁ ହିଁ ବୃହତର ସମ୍ଭାବନା ସୃଷ୍ଟି ହୋଇଥାଏ । ଏବଂ ଏହା ଆଗକୁ ବଢିବାରେ ସହାୟକ ହୋଇଥାଏ । ସେ ଏବଂ ତାଙ୍କ ଦଳ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଦକ୍ଷତା ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଦୀର୍ଘ ମିଆଦି ଓ କ୍ଷୁଦ୍ର ମିଆଦି ଯୋଜନା ବିଷୟରେ ପଚାରି ବୁଝିଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି । ଖୁବ୍ ଶୀଘ୍ର ଚଳିତ ବର୍ଷ ନିମନ୍ତେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ।
ନଟରାଜନ ଏବଂ ସହଯୋଗୀମାନେ ବିଲ୍ଡିଂ ମ୍ୟାନେଜମେଣ୍ଟ୍ ସରଭିସେସ୍, କମରସିଆଲ ରେଫ୍ରିଜିରେସନ, କମରସିଆଲ ଏଆର କଣ୍ଡିସନିଂ ଲ୍ୟାବ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଣେ ସିଟି କନେକ୍ଟ ସିଇଓ ରୁଚି ମାଥୁର ଏବଂ ଲାଇଟ୍ହାଉସ୍ କମ୍ୟୁନିଟି ଫାଉଣ୍ଡେସନ୍ ସଂସ୍ଥା ତରଫରୁ ଆଶିକ୍ ରିଜ୍ଭି ଉପସ୍ଥିତ ଥିଲେ । ଶେଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ