ଭୁବନେଶ୍ବର: କର୍ମ ହିଁ ଭଗବାନ । ପ୍ରଥମେ କର୍ତ୍ତବ୍ୟ । ପରେ ଭାବପ୍ରବଣତା । କର୍ତ୍ତବ୍ୟ ଆଗରେ ସବୁ କିଛି ତୁଚ୍ଛ । ଯାହାକୁ ଆଜି ପ୍ରମାଣ କରି ଦେଖାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଗୋଟିଏ ପଟେ ପତ୍ନୀଙ୍କ ଅନ୍ତିମ ସଂସ୍କାର । ଅନ୍ୟପଟେ ବିଶ୍ବବିଦ୍ୟାଳୟ କୁଳପତି ଚୟନର ଦାୟିତ୍ବ । ତେବେ ଦୁଇଟି କାମକୁ ସୂଚାରୁ ରୂପେ ସାରିଛନ୍ତି ରାଜ୍ୟପାଳ ।
ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ସେମାନଙ୍କ ସାକ୍ଷାତକାର ନେଇଥିବା ସୂଚନା ମିଳିଛି । ପରେ 6 ଜଣ କୁଳପତିଙ୍କୁ ନିଯୁକ୍ତି ମଧ୍ୟ କରିଛନ୍ତି ରାଜ୍ୟପାଳ । ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି, ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ, ଦୀନବନ୍ଧୁ ସାହୁଙ୍କୁ ଫକୀରମୋହନ ବିଶ୍ବବିଦ୍ୟାଳୟ, ଏନ ନାଗରାଜୁଙ୍କୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, କିଶୋର କୁମାର ବାସାଙ୍କୁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଓ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ।
ତେବେ ଗୋଟିଏ ପଟେ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତରେ ମ୍ରିୟମାଣ ଦେଖାଯାଉଥିବା ରାଜ୍ୟପାଳ କିନ୍ତୁ ନିଜ କର୍ମ ଭୁଲି ନାହାଁନ୍ତି । ଛାତିକୁ ପଥର କରି କର୍ତ୍ତବ୍ୟ ପଥରେ ଆଗେଇ ଯାଇଛନ୍ତି ସେ । ଗତରାତିରୁ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଥିବାବେଳେ ଆଜି ରାଜ୍ୟପାଳ କୁଳପତି ଚୟନ ପାଇଁ ସାକ୍ଷାତକାର ରଖିଥିଲେ । ହେଲେ ରାତିରେ ହିଁ ରାଜ୍ୟର ପ୍ରଥମ ମହିଳାଙ୍କର ପରଲୋକ ହୋଇଥିବାବେଳେ ରାଜ୍ୟପାଳ କୁଳପତି ଚୟନ କରିବେ କି ନାହିଁ ତାକୁ ନେଇ ସଂଶୟ ଦେଖାଦେଇଥିଲା । ହେଲେ ନିଜ କର୍ତ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରାଜ୍ୟପାଳ ପତ୍ନୀଙ୍କ ଅନ୍ତିମ ସଂସ୍କାର ପରେ କୁଳପତିଙ୍କୁ ମଧ୍ୟ ଚୟନ କରି ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନାଥାଉକି, ଗତ ନଭେମ୍ବର 1 ତାରିଖରେ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ