ଭୁବନେଶ୍ବର: ଡିସେମ୍ବର ମାସ ଶେଷ ହେବାକୁ ଆଉ ଅଳ୍ପ ଦିନ ଅଛି। ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ହ୍ରାସ ପାଇବାକୁ ଲାଗିବା ସହ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ରାଜ୍ୟର 12 ଟି ସହରର ପାରଦ 10 ଡିଗ୍ରୀ ତଳେ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସବୁଠୁ କମ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀର ଦାରିଙ୍ଗିବାଡିରେ ବର୍ଷର ପ୍ରଥମ ତୁଷାରପାତ ମଧ୍ୟ ରେକର୍ଡ କରାଯାଇଛି।
କୋରୋନା ମହାମାରୀ ପ୍ରଭାବରେ ଧୀରେ ଧୀରେ ଦୋକାନ ବଜାର ଖୋଲିବା ଆରମ୍ଭ କରିଥିବାବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତବସ୍ତ୍ରର ସମ୍ଭାର ଖୋଲିଗଲାଣି। ଭିନ୍ନ ଭିନ୍ନ ପ୍ରକାର ଶୀତ ବସ୍ତ୍ରରେ ଦୋକାନ ଭରପୁର ସଜାଇ ହୋଇ ରହିଛି। କିନ୍ତୁ ଦୋକାନଙ୍କୁ ସେହିଭଳି ଗ୍ରାହକଙ୍କ ଆଗମନ ନାହିଁ। କାଁ ଭାଁ ଲୋକ ଶୀତବସ୍ତ୍ର କିଣିବାକୁ ଆସୁଥିବାବେଳେ ଦୋକାନୀଙ୍କ ସହିତ ମୂଲଚାଲ କରିବାରେ ଅନେକ ସମୟ ଅତିବାହିତ କରୁଛନ୍ତି। ଏନେଇ ଦୋକାନୀ କୋରୋନା ସବୁକିଛି ବିଗାଡି ଦେଇଥିବା କହିଛନ୍ତି। ଦୀର୍ଘ ଦିନ ଧରି ଲୋକମାନେ କୋରୋନା ଯୋଗୁଁ କାମଧନ୍ଦା ହରାଇ ବସିଛନ୍ତି। ସେମାନଙ୍କ ପାଖରେ ରୋଜଗାରର କୌଣସି ପନ୍ଥା ନାହିଁ। ଫଳରେ ସେମାନଙ୍କ ଖର୍ଚ୍ଚ କରିବାର ସୀମା ମଧ୍ୟ ସଙ୍କୁଚିତ ହୋଇଯାଇଛି। ଫଳରେ ସେମାନେ ନିଜ ବଜେଟ ଅନୁକୂଳ ସାମଗ୍ରୀ କିଣିବାକୁ ଚାହୁଁଥିବାବେଳେ ବଜାରରୁ ଉଚ୍ଚାଦରରେ ସାମଗ୍ରୀ କିଣିଥିବା ବେପାରୀ କ୍ଷତି ସହିବାକୁ ପସନ୍ଦ କରୁ ନଥିବା ଦେଖାଦେଇଛି। ଫଳରେ ବେପାରରେ ମାନ୍ଦା ବସ୍ତାର ପ୍ରଭାବ ସିଧା ଅନୁଭବ ହେଉଥିବା ସେମାନେ କହିଛନ୍ତି। କିଛି ବେପାରୀ ବାଧ୍ୟ ହୋଇ ଲାଭକୁ କମ କରି ବେପାର ବଞ୍ଚାଇବା ପାଇଁ ବେଉଷା କରିଥିବା କହିଛନ୍ତି।
ଏପରି ସ୍ଥିତିରେ ବ୍ୟବସାୟୀ ନିଜ କିପରି କ୍ଷତିଗ୍ରସ୍ତ ନ ହୋଇ ବଞ୍ଚି ପାରିବେ ତା ଉପରେ ଅଧିକ ଧ୍ୟାନ ଦେଉଥିବା ଦେଖାଯାଉଛି। ତେବେ ଏହା ମଧ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଲୋକମାନଙ୍କୁ କାର୍ଯ୍ୟର ପରିସୀମା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ତେବେ ଆଗାମୀ ଦିନରେ ବ୍ୟବସାୟ ଟ୍ରାକକୁ ଫେରିବ ବ୍ୟବସାୟୀ ବୋଲି ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ