ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ପାଇଁ ଥ୍ରେଟ୍ ହେବେକି ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ? ଆଗାମୀ ଧାମନଗର ଉପ-ନିର୍ବାଚନ ଐତିହାସିକ ହେବାକୁ ଯାଉଛି । କାରଣ ପ୍ରଥମ ଥର ପାଇଁ ବିଜେଡିର କୌଣସି ନେତା ବିଦ୍ରୋହୀ ଭାବେ ଉଭା ହୋଇ ବିଜେଡି ନେତାଙ୍କ ବିରୋଧରେ ଲଢିବାକୁ ଯାଉଛନ୍ତି । ରାଜେନ୍ଦ୍ର ଦାସ ସ୍ବାଧୀନ ଭାବେ ନାମାଙ୍କନ ଭରିବା ପରେ ବିଜେଡି ଶିବିରରେ ଛନକା ପଶିଛି । କାରଣ ରାଜୁ ଦାସଙ୍କ ଲୋକସମ୍ପର୍କ ଭଲ । ଭଲ ସଂଗଠନ ରହିଛି ଧାମନଗରରେ । 2019 ରେ କିଛି କୁଚକ୍ରିଙ୍କ ଷଡଯନ୍ତ୍ର ଯୋଗୁଁ ହାରିଥିଲେ କିନ୍ତୁ ଉପ ନିର୍ବାଚନରେ ତାଙ୍କର ବେଶ ପତିଆରା ରହିଛି । ବିଜେଡିର ଭୋଟ ବ୍ୟାଙ୍କ ଚହଲି ଯିବାର ଆଶଙ୍କା ମଧ୍ୟ ରହିଛି ।
କାରଣ ଦୀର୍ଘଦିନ ଧରି ଜଣେ ସଂଗଠକ ଭାବେ କାମ କରିଆସୁଥିଲେ ରାଜୁ ଦାସ । ଯାହାକି ବିଜେଡି ପାଇଁ ଏକ ଥ୍ରେଟ୍ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ସେ ଆହୁରି କହିଛନ୍ତି ପ୍ରଥମଥର ପାଇଁ ବିଜେଡି ଦଳ ଭିତରୁ ବିଦ୍ରୋହୀ ବାହାରି ସ୍ବାଧୀନ ଭାବେ ଛିଡା ହୋଇଛନ୍ତି । ଏହି ପରମ୍ପରା 2024 ନିର୍ବାଚନରେ ବହୁଳ ଭାବରେ ଦେଖାଯିବ । ଯାହାକି ବିଜେଡିର ସାଂଗଠିନକ ନିୟନ୍ତ୍ରଣ ଉପରେ ବଡ ପ୍ରଶ୍ନ ଚିହ୍ନ ଛିଡା କରିଛି ।
ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ବଡ କଥା ହେଲା ବିଜେଡି ଏହା ବୁଝି ସାରି ରାଜୁ ଦାସଙ୍କୁ ମ୍ୟାନେଜ କରିବାକୁ ଚେଷ୍ଟା କରିଥିଲା । ଏପରିକି ଅବନ୍ତୀ ଦାସ ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ସମର୍ଥନରେ ବାହାରି କହିଥିଲେ ରାଜୁ ଦାସ । କିନ୍ତୁ ପରବର୍ତ୍ତି ସମୟରେ ସ୍ବର ବଦଳାଇଥିଲେ ରାଜୁ ଦାସ । ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ । ଯାହାକି ଧାମନଗର ଉପ ନିର୍ବାଚନରେ ବିଜେଡି ଭୋଟ ବିଭାଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହାର ଫାଇଦା ମଧ୍ୟ ବିଜେପି ନେବାକୁ ଚେଷ୍ଟା କରିପାରେ ।
ତେବେ ଇତିହାସ କହୁଛି ଅତିତୀରେ ପାଟକୁରାରେ ଲଢିବା ପାଇଁ ଯେତେବେଳେ ବିଜୟ ମହାପାତ୍ରଙ୍କୁ ଟିକେଟ ମିଳିନଥିଲା ସେତେବେଳେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜୟ ସମର୍ଥନ ଦେଇ ଜିତାଇ ଦେଇଥିଲେ । ସେହିପରି ରାଜା ସ୍ବାଇଁ ମଧ୍ୟ ଆଠଗଡ ଆସନରେ ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ନିର୍ବାଚନ ଜିତାଇଥିଲେ । ନିଜର ପତିଆରା ବଜାୟ ରଖିଥିଲେ । ପୁଣି ଥରେ ତାହା ପୁନରାବୃତ୍ତି ହେବାକୁ ଯାଉନାହିଁ ତ ଧାମନଗଗରେ ? ଟିକେଟ ନ ମିଳିବାରୁ ସ୍ବାଧୀନ ଭାବେ ଛିଡା ହୋଇ ଯଦି ରାଜୁ ଦାସ ନିର୍ବାଚନ ଜିତନ୍ତି ଏହା କେବଳ ଧାମନଗର ସ୍ବାଭିମାନର ବିଜୟ ହେବ ନାହିଁ ବରଂ 2024 ପାଇଁ ବିଜେଡିର ଟିକେଟ ଦେବା ଅଙ୍କକଷାରେ ଏକ ଶିକ୍ଷଣୀୟ ଅଧ୍ୟାୟ ହୋଇ ରହିବ ।
ଇଟିଭି ଭାରତ, ଭୁବନେଶ୍ୱର, ଭଦ୍ରକ