ଭୁବନେଶ୍ବର: ବିଜେଡିକୁ ଏନଡିଏ (National Democratic Alliance) ରେ ସାମିଲ ହେବାକୁ ଗତ 22 ତାରିଖରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆହ୍ବାନ ଦେଇଥିଲେ । ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଗସ୍ତରେ ଆସିଥିବା ବେଳେ ରାମଦାସ ଅଠାୱାଲେ (Ramdas Athawale Odisha visit ) ଏହି ଆହ୍ବାନ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଅଠାୱଲେଙ୍କ ଏହି ଅନୁରୋଧ ପରେ ଏବେ ବିଜେଡି ଏନଡିଏରେ ସାମିଲ ହେବ କି ? ତାକୁ ନେଇ ଉଠିଛି ପ୍ରଶ୍ନ । 2000 ମସିହାରେ ଓଡିଶାରେ ବିଜେଡି ଓ ବିଜେପି ମିଶି କ୍ଷମତା ଦଖଲ କରିଥିଲେ । 2009 ରେ ମେଣ୍ଚ ଭାଙ୍ଗିବା ପରେ ଆଉ କ୍ଷମତାକୁ ଆସିପାରି ନାହିଁ ବିଜେପି । 2009, 2014 ଏବଂ 2019ରେ ବିଜେଡି ନିରଙ୍କୁଶ କ୍ଷମତା ଉପଭୋଗ କରିଚାଲିଛି । କ୍ଷମତା ଦଖଲ ପାଇଁ ବିଜେପି ଆପଣେଇଥିବା ସବୁ ରଣନୀତି ଫେଲ ମାରିଛି । ଏବେ ପୁଣି ଆସୁଛି 2024 ସାଧାରଣ ନିର୍ବାଚନ । ଠିକ ଏହା ପୂର୍ବରୁ ଏନଡିଏର ସହଯୋଗୀ ଦଳ ରିପବ୍ଲିକାନ ଫାର୍ଟି ଅପ ଇଣ୍ଡିଆ (RPI) ମୁଖ୍ୟ ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ବାଲେଙ୍କ ଏପରି ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ବିଶେଷ କରି ଏନଡିଏ ମେଣ୍ଟରେ ନବୀନଙ୍କୁ ସାମିଲ କରିବାକୁ ପ୍ରସ୍ତାବ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଏହାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏହା ମନ୍ତ୍ରୀ ରାମଦାସ ଅଠାଓ୍ବାଲେଙ୍କ ନିଜସ୍ବ ମତ । 2024 ରେ ବିଜେପି ଏକାକି ଲଢିବ ନିର୍ବାଚନ । ମେଣ୍ଚ କରିବାର ନାହିଁ । ସେହିପରି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର କହିଛନ୍ତି ଏହି ମତ ସହିତ ଦଳର କୌଣସି ସମ୍ପର୍କ ନାହିଁ ।
ଅନ୍ୟପଟେ ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଠାୱାଲେ ଜଣେ ଭଲ ନେତା । ଭଲ ବକ୍ତା । ଓଡିଶା ସମ୍ପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସେ କହୁ କହୁ କହିଛନ୍ତି । ଏହା ବିଜେପି କି ଏନଡିଏର ଅଧିକୃତ ବକ୍ତବ୍ୟ ନୁହେଁ । ଯେତେବେଳେ ବିଜେଡି କଥା ଉଠୁଛି, ଦଳ କଣ କରିବ, ନିର୍ବାଚନ ବେଳେ କଣ ରଣନୀତି ହେବ ତାହା ଆମ ଦଳର ନୀତି ନିର୍ଦ୍ଧାରକ ତଥା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
ଅନ୍ୟପକ୍ଷରେ ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ମେଣ୍ଟ ହେଲେ ଉଭୟ ଦଳ ଅଡୁଆରେ ପଡିଯିବେ । ବରଂ ଓଡିଶାବାସୀଙ୍କ ପ୍ରିୟ କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ସରକାର ଠିକ ଅଛି । କିନ୍ତୁ ନିଆଁ ନଥିଲେ ଧୂଆ ବାହାରେ ନାହିଁ । କେନ୍ଦ୍ରର ଜଣେ ମନ୍ତ୍ରୀ ଯିଏ କି ଏନଡିଏ ସହଯୋଗୀ ଅଛନ୍ତି ସେ ଏପରି ମନ୍ତବ୍ୟ ଦେବା ରାଜନୈତିକ ମହଲରେ ଚର୍ଚ୍ଚା ବଢିବା ସ୍ବାଭାବିକ ।
କଣ କହିଥିଲେ ଅଠାୱାଲେ...
ଗତ 22 ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଅଠାୱଲେ ନିଜ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଓଡିଶା ଗସ୍ତରେ ଆସିଥିଲେ । ଏହାକୁ ନେଇ ଏକ ପ୍ରେସମିଟ ଆୟୋଜନ କରିଥିବା ବେଳେ କହିଥିଲେ, ନବୀନ ପଟ୍ଟନାୟକଙ୍କ ବିଜେଡି ଏନଡିଏକୁ ଫେରି ଆସିଲେ ଭଲ । କାରଣ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ପାସ ବେଳେ ଏନଡିଏ ସରକାରଙ୍କୁ ବିଜେଡି ବହୁ ସହଯୋଗ କରିଛି । ୨୦୨୪ ନିର୍ବାଚନ ବେଳକୁ ଏନଡିଏ ସହ ଯୋଡି ହେଲେ ବହୁ ଲାଭରେ ରହିବେ ନବୀନ । ଓଡିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି ।
ଲାଲମୋହନ ପଣ୍ଡା, ଇଟିଭି ଭାରତ, ଭୁବନେଶ୍ୱର