ଭୁବନେଶ୍ବର: ଆସନ୍ତା ୩୦ରେ ଉତ୍ତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହେବ । ରାଜ୍ୟରେ ଆହୁରି ୫ ଦିନ ଘଡଘଡି, କାଳବୈଶାଖୀ ବର୍ଷା ଜାରି ରହିବ । ତେବେ ୨୯ ତାରିଖରୁ କାଳବୈଶାଖୀ ବର୍ଷା ସାମାନ୍ୟ କମିପାରେ । କାଁଭାଁ କିଛି ସ୍ଥାନରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାର ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ପବନ ବହିବ ।
ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହେବ ବୋଲି ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଜଶୀପୁରରେ ସର୍ବାଧିକ ୯୩.୦ ମିମି ବର୍ଷା ରେକର୍ଡ କରାଯାଇଛି । ତାଳଚେରରେ ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୩୪.୪ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ