ଭୁବନେଶ୍ବର: ଦୁର୍ବଳ ହେଲା ଲଘୁଚାପ, ଟଳିଲା ବାତ୍ୟା ସଙ୍କଟ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବାର ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ଓଡିଶାକୁ କୈଣସି ବାତ୍ୟାର ଭୟ ନାହିଁ । ବୁଧବାର ଲଘୁଚାପ ଦୁର୍ବଳ ହୋଇଛି । ତେବେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଜାରି ରହିବ । ବିଭିନ୍ନ ଜିଲ୍ଲାକୁ ସତର୍କ ରହିବାକୁ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ସମେତ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ରାୟଗଡା ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ଏହାସହ ଘଡଘଡି ସହ ବର୍ଷା ନେଇ ୟଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେହିପରି ଆସନ୍ତା 8 ତାରିଖରେ ମାଲକାନଗିରି, କୋରାପୁଟ,ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ହେବ । ବୁଧବାର ଭୁବନେଶ୍ବରର ତାପମାତ୍ରା ୩୪ ଡିଗ୍ରୀ ରହିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ସୋନପୁର ଜିଲ୍ଲା ବିନିକାରେ ୫୫.୨ ଓ ଉଲୁଣ୍ତାରେ ୫୪.୦ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ବରରରେ ୬.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀର ଜିଲ୍ଲାରେରେ ସର୍ବାଧିକ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ