ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ପ୍ରଭାବରେ ବର୍ଷା ବିତ୍ପାତ । ଅବିରତ ଢାଳୁଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଏବେ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ବର୍ତ୍ତମାନ ଏହା ଝାରସୁଗୁଡାଠାରୁ ୫୦ କିଲୋମିଟର ଦୂର ପଶ୍ଚିମ ଉତ୍ତର ପଶ୍ଚିମ ଏବଂ ଅମ୍ବିକା ପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ପରିମାଣରେ ବୃଦ୍ଧି ପାଇଥିବା କାରଣରୁ ଲଘୁଚାପର ପ୍ରଭାବ ଅଧିକ ରହିଛି । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟର ସମସ୍ତ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଅବପାତର ପ୍ରଭାବ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ।
ଆସନ୍ତାକାଲି ଝାଡସୁଗୁଡା,ବରଗଡ଼, ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ପୁଣି ଦିନକ ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯଦିଓ ତାହାର ଗଭୀରତା ଅଧିକ ହେବନାହିଁ ତଥାପି ଉପକୂଳ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ରହିବ ବୋଲି ଆଇଏମଡି କହିଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳର ତାଳଚେର ଠାରେ ୩୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁରର ବୀରମହାରାଜପୁର ୩୭୨ ମିଲିମିଟର, ସୋନପୁରରେ ୨୮୨ ମିଲିମିଟର, ବୌଦ୍ଧରେ ୨୬୨ ମିଲିମିଟର, ବଲାଙ୍ଗୀର ପାଟଣାଗଡରେ ୨୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ମୋଟ ୧୬ ସ୍ଥାନରେ ୨୦୦ ରୁ ୩୯୪ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ୨୨ଟି ସ୍ଥାନରେ ୧୪୦ ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ