ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ଚିନ୍ତାଜନକ ରହିଛି(flood in Odisha) । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୪ଟି ଘାଇ ସୃଷ୍ଟି ହୋଇଛି । ଗତକାଲି(ମଙ୍ଗଳବାର) ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ଆଜି(ବୁଧବାର) ଆଉ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । କୁଶଭଦ୍ରା ନଦୀର ଡାହାଣ ପାର୍ଶ୍ୱ ଗଣେଶ୍ୱରପୁର ତେଣ୍ଡିଆକୁଦରେ ଓ ମହାନଦୀର ରାହାମା ବ୍ଲକ ଅନ୍ତର୍ଗତ ତେରମାଣପୁରରେ ଘାଇ ସୃଷ୍ଟି ହୋଇଛି । ମଙ୍ଗଳବାର ସତ୍ୟବାଦୀର ରାଜୁଆ ନଦୀ ଓ ଖୋର୍ଦ୍ଧାର ମକରା ନଦୀରେ ଘାଇ ସୃଷ୍ଟି ହୋଇଥିଲା । ଘାଇ ଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଥିବା ଏସ୍ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ସେପଟେ SRC କହିଛନ୍ତି, "କେବଳ ୪ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ବ୍ୟାକ୍ ଓ୍ୱାଟର । ଗତକାଲି ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ 550 ସ୍କୁଲ୍ ପିଲାଙ୍କ ସମେତ ମୋଟ ୭ଶହ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ଆଠଗଡ଼ରେ ଛେଳି ଚରାଇବାକୁ ଯାଇ ନଦୀ ମଝିରେ ଫସିଯାଇଥିବା ବାପ-ପୁଅଙ୍କୁ ଉଦ୍ଧାର କରାଯାଇଛି । 2011 ମସିହାରେ ଛଡ଼ାଯାଇଥିବା ବନ୍ୟା ପାଣିଠାରୁ ଚଳିତ ବର୍ଷ ବନ୍ୟାରେ ଅଧିକ ପାଣି ନଦୀମାନଙ୍କରେ ଛଡ଼ାଯାଇଛି । 2011ରେ ମହାନଦୀରେ 9 ଲକ୍ଷ କ୍ୟୁସେକ୍ ପାଣି ଛଡ଼ା ଯାଇଥିବା ବେଳେ ଚଳିତଥର 12 ଲକ୍ଷ କ୍ୟୁସେକ ପାଣି ଛଡ଼ା ଯାଇଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଉଥିବାରୁ ଘଳିଆ ଉପରେ ସତର୍କ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।"
ମୁଣ୍ଡୁଳୀରେ ବୁଧବାର ସକାଳ ସୁଦ୍ଧା 12 ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ା ଯାଉଛି । ରାତି 3ଟା ଭିତରେ ଏହି ପାଣି ଖଲାସ ହୋଇଯିବ ବୋଲି ଆଶା ଥିଲା । କିନ୍ତୁ ଏହି ପାଣି ଖଲାସ ହେବା ନିମନ୍ତେ 9 ଘଣ୍ଟା ବଦଳରେ 12 ଘଣ୍ଟା ସମୟ ନେଇଛି । ଆଜି ପୂର୍ବାହ୍ନ 10ଟା ପରେ ମୁଣ୍ଡଳିରେ ବନ୍ୟା ପାଣିର ସ୍ତର 17 ହଜାର କ୍ୟୁସେକ କମିଛି । ଅପରାହ୍ନରେ 25 ହଜାର କ୍ୟୁସେକ ପାଣି ଖସିବ ବୋଲି ଆଶା କରାଯାଉଛି । ଏବେ ହୀରାକୁଦରୁ 6 ଲକ୍ଷ 79 କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେଳ ନଦୀର ପାଣି ଗତ ରାତିରେ 2 ଲକ୍ଷ କ୍ୟୁସେକ୍ ତଳକୁ ଖସି ଆସିବ ବୋଲି ଆଶା ଥିଲା । ଏହା ବର୍ତ୍ତମାନ ଖସି 1.86 କ୍ୟୁସେକକୁ ଆସିଛି । ତେବେ ଖଇରାମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ଖଲାସ ହୋଇଯାଇଛି । ତେଣୁ ଆଗକୁ ମହାନଦୀର ପାଣି କମିବ । 24 ଘଣ୍ଟା ପରେ ମୁଣ୍ଡଳିରେ ମଧ୍ୟ ପାଣି ଖସିବ । ଏହି ବନ୍ୟା ପାଣି ସମୁଦ୍ରରେ ମିଶିବାକୁ ଆଉ 9 ଘଣ୍ଟା ସମୟ ଲାଗିବ । ତେଣୁ ଆସନ୍ତା 12 ଘଣ୍ଟା ପରେ ଧୀରେଧୀରେ ବନ୍ୟା ପାଣି କମିଯିବ । ଏହି ସମୟରେ ନଦୀ ବନ୍ଧ ଧଶିବାର ଆଶଙ୍କା ରହିଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଲୋକଙ୍କ ନିକଟରେ ପାନୀୟଜଳ ଉପଲବ୍ଧ କରିବାକୁ ଜଗତସିଂହପୁର ଓ ପୁରୀରେ 3ଟି, କେନ୍ଦ୍ରାପଡ଼ା ଓ କଟକରେ 2ଟି ଭ୍ରାମ୍ୟମାଣ ଆରଓ ପାଣି ପାଉଚ ଯୋଗାଣ ଗାଡ଼ି ମୁତୟନ କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ୟୁନିଟ୍ NDRF ସହ ODRAF ଓ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ବନ୍ୟା ପରେ ତୁରନ୍ତ କୂଅ ଓ ନଳକୂଅ ସଫେଇ କରିବାକୁ କୁହାଯାଇଛି । ବନ୍ୟା ଯୋଗୁଁ ଗୋରୁଗାଇଙ୍କ ପାଇଁ ଗୋଖାଦ୍ୟ ଉପଲବ୍ଧ କରିବାକୁ କୁହାଯାଇଛି । ବନ୍ୟା ଅଞ୍ଚଳରେ ପାଣି କମିବା ପରେ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର