ଭୁବନେଶ୍ବର: ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ(vir vikram yadav chief administrator of jagannath temple) । ଶ୍ରୀମନ୍ଦିର ସହ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରିଷନ କୁମାର ଡେପୁଟେସନରେ ଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦ ଫାଙ୍କା ପଡିଥିଲା । ଶ୍ରୀମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବାବେଳେ ଏବେ ଦାୟିତ୍ୱ ତୁଲାଇବେ ବୀର ବିକ୍ରମ ଯାଦବ ।
1996 ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ପୂର୍ବରୁ ତାଙ୍କୁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ନିକୁଞ୍ଜ କିଶୋର ସୁନ୍ଦରରାୟ । 1987 ବ୍ୟାଚର ନିକୁଞ୍ଜଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ମୋନା ଶର୍ମା । ସେହିପରି 1989 ବ୍ୟାଚର ଅଫିସର ସଞ୍ଜୀବ ଚଢ଼ାଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ସଞ୍ଜୀବ ଚଢ଼ା । ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ହେଲେ ଶୁଭମ ସକସେନା । 2013 ବ୍ୟାଚର ଶୁଭମ ଖାଦ୍ୟ ଯୋଗାଣ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ