ଭୁବନେଶ୍ବର: ପୁଣି ବଦନାମର ବୋଝ ବୋହିଲା ରାଜ୍ୟ ପୋଲିସ । କଳଙ୍କର ଅଠା ବୋଳିଛି କମିସନରେଟ ପୋଲିସ । ଗୋଟେପଟେ ‘ମୋ ସରକାର’ ପାଇଁ ପୋଲିସ କସରତ କରୁଥିବା ବେଳେ ସେପଟେ ଲାଞ୍ଚ ନେବାରେ ବ୍ୟସ୍ତ ଏସଆଇ । ପୁଣି ଏମିତି ସେମିତି ଜାଗାରେ ନୁହେଁ । ଫିଲ୍ମ ଷ୍ଟାଇଲରେ ସପିଂ ମଲରେ ନେଉଥିଲେ ଲାଞ୍ଚ ।
କେହି ଦେଖିଦେବା ଭୟରେ ଗହଳି ଦେଖି କଳା ଟଙ୍କା ନେଉଥିଲେ ବାଳକାଟି ଫାଣ୍ଡି ଏସଆଇ ଦେବେନ୍ଦ୍ର ସାହୁ । ସେହି ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ରମାକାନ୍ତ ସାହୁଙ୍କ ଠାରୁ ପୂଜା ପାଇଁ ସପିଂ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ ।
ଥାନାର ସ୍ବଛତା ସହ ଜନସାଧାରଣଙ୍କୁ ଯେପରି ସମସ୍ତ ସୁବିଧା ମିଲିପାରିବ ସେନେଇ 2 ତାରିଖରୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ସରକାର ଯୋଜନା’ । କିନ୍ତୁ ପୂର୍ବରୁ ଅନେକ ବାର ମାଲିକଙ୍କୁ ଗିରଫର ଭୟ ଦେଖାଇ ଲାଞ୍ଚ ନେଉଥିବା ଏସଆଇ ଆଜି ଧରା ପଡ଼ିବା ପରେ ପଦାରେ ପଡ଼ିଛି ପୋଲିସର ସ୍ବଛତା ।
ପୂର୍ବରୁ କମିସନରେଟ ପୋଲିସର ଜଟଣୀ ଥାନା ଆଇଆଇସି ଓ ଧଉଳି ଥାନା ଏସଆଇଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ ସେଲ ଟିମ । ତେବେ ସ୍ବଛତା ଓ ସେବାର କଥା କହୁଥିବା ପୋଲିସ ନିଜ ବିଭାଗର ଦୁର୍ନୀତିକୁ ରୋକିବାରେ ବିଫଳ । କମିସନରେଟ ପୋଲିସରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ସୁଧା ବରିଷ୍ଠ ଅଧିକାରୀଙ୍କ ନିରବତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ