ଭୁବନେଶ୍ବର: ‘ମୁଁ ଜଣେ ନିର୍ଯ୍ୟାତିତ ମହିଳା। ’ 20 ବର୍ଷ ହେଲା ମୋ ଶାଶୁ ଘର ଲୋକେ ମତେ ନିର୍ଯ୍ୟାତନା ଦେଉଛନ୍ତି । ମୁଁ ଏବଂ ମୋ ପିଲାଙ୍କ ସୁରକ୍ଷା ଚାହୁଁଛି । ସରକରା ଯଦି ମୋ କଥା ନ ଶୁଣନ୍ତି, ତେବେ ପିଲାଙ୍କୁ ବିଷ ଦେବା ସହ ମୁଁ ନିଜେ ବିଷ ଖାଇ ମରିବି। ’ ଏହା ଜଣେ ନିର୍ଯ୍ୟାତିତ ମହିଳାଙ୍କ କାହାଣୀ । ଇଟିଭି ଭାରତକୁ ଏଭଳି ପ୍ରତିକ୍ରିୟା ଦେବା ସହ ନିଜ ଶାଶୂଘର ଲୋକଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ନୟାପଲ୍ଲୀର ଜଣେ ମହିଳା ।
ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି ପୀଡିତା। କେତେବେଳେ ପୋଲିସ ପାଖକୁ ତ କେତେବେଳେ ମହିଳା କମିଶନ ପାଖକୁ ଯାଉଛନ୍ତି । ଦୀର୍ଘ ବର୍ଷ ହେଲା ସ୍ବାମୀ,ଶାଶୁ, ଶ୍ବଶୁର, ବୋହୂକୁ ଛାଡି କୁଆଡେ ପଳେଇ ଯାଇଛନ୍ତି । ଏଠାରେ ସେ ନିଜର ପିଲାଙ୍କ ସହ ନିର୍ଯ୍ୟାତିତ ହେଉଛନ୍ତି । ଏନେଇ ଶନିବାର ମହିଳା କମିଶନଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ପୀଡିତ ମହିଳା।
ବିବାହର କିଛି ମାସ ପରେ ଶାଶୂ-ଶ୍ବଶୁର ପୀଡିତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି । ସ୍ବାମୀଙ୍କ ମୁଣ୍ଡ ଦୋଷ ଥିବାରୁ ସେ ଏସବୁ ବିଷୟରେ ଅବଗତ ନାହାନ୍ତି । ଅନ୍ୟପଟେ ଶଶୂର ଘର ଲୋକେ ତାଙ୍କୁ ଛାଡି ପଳାଇ ଯାଇଥିବା ବେଳେ ପଡୋଶୀ ତାଙ୍କ ଘର ଉପରେ କବଜ୍ଜା କରିବାକୁ ଚେଷ୍ଟା ଚଳାଇଥିବା ସେ କହିଛନ୍ତି । ତାଙ୍କ ଶାଶୁ ଶ୍ବଶୁର ଘର ତାଙ୍କୁ ବିକି ଦେଇଥିବା ପଡୋଶୀ ଜଣଙ୍କ କୁଆଡେ ଦାବି କରୁଛନ୍ତି । ଏହାସହ ତାଙ୍କୁ ଘରୁ ବାହାରି ଯିବାକୁ ଧମକ ଦେଉଛନ୍ତି । ପୀଡିତାଙ୍କ କହିବା ଅଭିଯୋଗ ଅନୁଯାୟୀ, ତାଙ୍କର ପଡୋଶୀ ଘର ସଦସ୍ୟ ହେଉଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସଦସ୍ୟ।
ଏପରି ସ୍ଥିତରେ ନିଜର ସୁରକ୍ଷା ସହ ତାଙ୍କ ତିନି ପିଲା ସୁରକ୍ଷା ଚାହୁଁଛନ୍ତି ମହିଳା ଜଣଙ୍କ। ଯଦି କୌଣସି ପ୍ରକାର ନ୍ୟାୟ ନମିଳେ ସେ ନିଜ ପିଲାଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଜଣାଇ ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ