ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନାରେ ହେବ କୋଭିଡ ଟୀକାକରଣ । ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ଥିବା 183ଟି ଘରୋଇ ଡାକ୍ତରଖାନାରେ ହେବ କୋଭିଡ ଟୀକାକରଣ । ଘରୋଇ ଡାକ୍ତରଖାନାଗୁଡ଼ିକୁ ଯୋଗ୍ୟ ନାଗରିକଙ୍କ ଟୀକାକରଣ ପାଇଁ କୋଭିଡ ଟୀକାକରଣ କେନ୍ଦ୍ର (PCVC) ଭାବରେ ଅନୁମତି ଦିଆଯାଇଛି ।
ଏସବୁ ଡାକ୍ତରଖାନାରେ ଟୀକାକରଣ ଲାଗି ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିସହ COWIN 2.0 ପାଇଁ ଗାଇଡଲାଇନ ମଧ୍ୟ ଜାରୀ କରାଯାଇଛି ।
ଆବଶ୍ୟକ ବ୍ୟବସ୍ଥା-
- ଟୀକା ରଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
- ପର୍ଯ୍ୟାପ୍ତ ପରିମାଣର ଶୀତତାପ ନିୟନ୍ତ୍ରଣ ରୁମ
- ୱେଟିଂ ହଲ, ଭ୍ୟାକ୍ସିନେସନ ହଲ ଓ ଅବଜରବେସନ ହଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
- ତାଲିମପ୍ରାପ୍ତ ଟୀକାକରଣକାରୀ ଏବଂ ଯାଞ୍ଚକାରୀଙ୍କୁ ନିଯୁକ୍ତି ଲାଗି ବ୍ୟବସ୍ଥା
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ