ଭୁବନେଶ୍ବର: ଲକ୍ଷ୍ମୀସାଗର ୬ନମ୍ବର ପ୍ଲାଟଫର୍ମ ହତ୍ୟାକାଣ୍ଡର ଦିନକ ପରେ ଆଉ ଏକ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୟା ନଇ ପଠାରୁ ମୃତଦେହ ଉଦ୍ଧାର କରିଛି କମିସନରେଟ ପୋଲିସ ।
ଧଉଳି ଥାନା ଅଞ୍ଚଳର ଉତ୍ତରା ଛକ ନିକଟସ୍ଥ ଦୟା ନଦୀ ପଠାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକର ପରିଚୟ ମିଳିନଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ସହର ଉପକଣ୍ଠରୁ ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ମୃତକର ନାକ, ମୁହଁ, ମୁଣ୍ଡ ଓ ହାତରୁ ରକ୍ତସ୍ରାବ ହେଉଥିବା ଜଣାପଡିଛି। ତେବେ କେହି ହତ୍ୟା କରି ଫିଙ୍ଗି ଦେଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ମୃତକର ପୋଷାକ ଓ ଶରୀର ଗଠନରୁ ୩୦ ରୁ ୩୫ ବର୍ଷୀୟ ଯୁବକ ହୋଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।
ଅନ୍ୟପଟେ ଏନେଇ ସମସ୍ତ ଥାନା ଓ ଜିଲ୍ଲାକୁ ନିଖୋଜ ରିପୋର୍ଟ ମଗାଯାଇଛି। ତେବେ ମୃତ ବ୍ୟକ୍ତି କିଏ କିପରି ତାଙ୍କର ମୃତଦେହ ଏପରି ଅବସ୍ଥାରେ ନଦୀ ପଠାକୁ ଆସିଲା ସେ ନେଇ କମିସନରେଟ ପୋଲିସ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ