ଭୁବନେଶ୍ବର: ଆଜି (ରବିବାର) ହେଉଛି ପବିତ୍ର ଗୁରୁ ଦିବସ । ଆଉ ଆଜିର ଦିନରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଏବଂ ପରମ ପୂଜ୍ୟ ଗୁରୁ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ।
ତେବେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ଆଲୋକ ଭଳି ସଠିକ ରାସ୍ତା ଦେଖାଇଥାନ୍ତି । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ତେବେ ଭାରତୀୟ ପରମ୍ପରାରେ ଗୁରୁପୂଜା କାହିଁ କେଉଁ ପୁରାତନ ଯୁଗରୁ ପ୍ରଚଳିତ ହୋଇ ଆସୁଛି । ଗୁରୁଙ୍କ ପ୍ରତି ସେହି ଶ୍ରଦ୍ଧା ଏବଂ ସମ୍ମାନ ଆଜି ବି ଉଜ୍ଜୀବିତ ହୋଇ ରହିଛି ।
ଆଉ ଏହା ଗୁରୁ ଶିଷ୍ୟ ପରମ୍ପରାରେ ଏହି ଦିବସ ଏକ ଅନନ୍ୟ ନିଦର୍ଶନ ପାଲଟିଛି । ଆଜି ସେହି ଗୁରୁଙ୍କୁ ପ୍ରଣାମ ଜଣାଇ ଭୁବନେଶ୍ବର ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂପୂର୍ଣ୍ଣ କୋଭିଡ କଟକଣା ସହ ଗୁରୁ ଦିବସ ପାଳନ କରାଯାଇଛି । ବିଦ୍ୟାାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପହଞ୍ଚି ପରମ୍ପରାକୁ ବଜାୟ ରଖିବାକୁ ଗୁରୁଙ୍କୁ ପାରମ୍ପରିକ ଭବେ ସିନ୍ଦୂର ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଛନ୍ତି । ଆଉ ଏହି ଅବସରରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ସୁନ୍ଦର ଓ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ