ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ରାଜ୍ୟର ସମସ୍ତ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିରେ ତୁରନ୍ତ ସ୍ବଚ୍ଛ ଟ୍ୟାପ ଜଳ ସଂଯୋଗ କରିବା ଲାଗି ଚିଠିରେ ଦର୍ଶାଇଛନ୍ତି ଗଜେନ୍ଦ୍ର।
ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ବଚ୍ଛ ଟ୍ୟାପ ଜଳ ସଂଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ 100 ଦିନିଆ ଅଭିଯାନ ଘୋଷଣା କରିଥିଲେ । ଏହା 2020 ଅକ୍ଟୋବର 2ରେ ଆରମ୍ଭ କରାଯାଇଥିଲା । ଓଡ଼ିଶାରେ ପ୍ରାୟ 25, 820 ବିଦ୍ୟାଳୟ (47%) ଏବଂ 11,913 ଅଙ୍ଗନଓ୍ବାଡ଼ି କେନ୍ଦ୍ର (22%)କୁ ଟ୍ୟାପ ଯୋଗେ ଜଳ ଯୋଗାଣ କରାଯାଇଛି ।
ଆସନ୍ତା କିଛି ମାସ ମଧ୍ୟରେ ଅବଶିଷ୍ଟ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରିବା ଲାଗି କୁହାଯାଇଛି । ଏହା ସହ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର, ଗ୍ରାମପଞ୍ଚାୟତ ଅଟ୍ଟାଳିକା, ଆରୋଗ୍ୟ କେନ୍ଦ୍ର ଆଦିରେ ଟ୍ୟାପ ଜଳ ଯୋଗାଣ ସହିତ ଉନ୍ନତ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ପରିଚ୍ଛନ୍ନତାରେ ସୁଧାର ଆଣିବା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୁହାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ