ଭୁବନେଶ୍ବର: ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ରବିବାର ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଏହି ଆଲୋଚନା ହୋଇଛି । ଓଡ଼ିଶାରେ ଗବେଷଣା ଓ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରିବା ଓ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ କିଭଳି ଭାବେ ବିଶ୍ବବିଦ୍ୟାଳୟଗୁଡିକ କାର୍ଯ୍ୟ କରିବେ ସେ ସମ୍ପର୍କରେ ବିଚାର ବିମର୍ଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ସେହିପରି ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ରାଷ୍ଟ୍ରୀୟ ଶିକ୍ଷାନୀତି ଜରିଆରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଶିକ୍ଷା ଅର୍ଥନୀତିରେ ପରିଣତ କରିବା ପାଇଁ ଥିବା ଭାରତ ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଲୋଚନା କରାଯାଇଛି ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ରେଭେନ୍ସା କୁଳପତି ପ୍ରଫେସର ଡା. ସଞ୍ଜୟ ନାୟକ ଏବଂ ବିଶ୍ବବିଦ୍ୟାଳୟର ଶିକ୍ଷକ ସଙ୍ଘର କର୍ମକର୍ତ୍ତା, ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ସହ ସାକ୍ଷାତମୂଳକ ଭାବରେ ଆଲୋଚନା କରିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ