ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ବେକାରୀ ସମସ୍ୟା । ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିଶା ଖୋର ହେଉଛନ୍ତି ଆଉ ବୃଦ୍ଧି ପାଉଛି ଅପରାଧ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ନିଯୁକ୍ତି ସମ୍ପର୍କିତ ମୂଲତବୀ ନୋଟିସ ଆଲୋଚନାରେ ଆଜି ବିରୋଧୀ ଏହିଭଳି ଢଙ୍ଗରେ ସରକାରଙ୍କୁ ଆକ୍ରମଣ କରିଥିଲେ ।
ସରକାରଙ୍କ ହିସାବ କହୁଛି ରାଜ୍ୟରେ ବେକାରୀଙ୍କ ସଂଖ୍ୟା 85 ଲକ୍ଷ । ଘରୋଇ କ୍ଷେତ୍ର କି ଆତ୍ମନିଯୁକ୍ତି କଥା ଛାଡନ୍ତୁ, ସରକାରୀ କ୍ଷେତ୍ରରେ ବି ଚାକିରୀ ନାହିଁ । ରାଜ୍ୟ ସରକାରଙ୍କ ମୋଟ 5ଲକ୍ଷ 83 ହଜାର ମଞ୍ଜୁରୀପ୍ରାପ୍ତ ପଦବୀରୁ 1 ଲକ୍ଷ 31 ହଜାର 518ଟି ପଦବୀ ଖାଲିପଡିଛି । ବର୍ଷ ବର୍ଷ ଧରି ତାହା ପୂରଣ ହେଉନି । ରାଜ୍ୟର ଧନଜୀବନକୁ ସୁରକ୍ଷା ଦେଉଥିବା ଗୃହ ବିଭାଗରେ 88ହଜାର 181ଟି ପଦବୀରୁ 16ହଜାର 741ଟି ପଦବୀ ଖାଲି ରହିଛି।
ସେହିଭଳି ଶ୍ରମ ଓ ନିୟୋଜନ ବିଭାଗରେ 50ହଜାର 88ଟି ପଦବୀରୁ 16 ହଜାର 71ଟି ପଦବୀ ଖାଲି ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ 2ଲକ୍ଷ 16ହଜାର 74ଟି ପଦବୀରୁ 30ହଜାର 299ଟି ପଦବୀରେ ବର୍ଷ ବର୍ଷ ଧରି କୌଣସି ନିଯୁକ୍ତି ଦିଆଯାଉନାହିଁ। ପୂର୍ତ୍ତ ବିଭାଗରେ 10ହଜାର 435 ପଦବୀରୁ 3480 ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ 7544ଟି ପଦବୀରୁ 2862ଟି ପଦବୀ ଖାଲି ରହିଛି ।
ବିଜେଡିକୁ 5 ଥର ରାଜ୍ୟବାସୀ ବିଶ୍ୱାସର ସହ ଭୋଟ ଦେଇ ସରକାର ଗଢିବାର ସୁଯୋଗ ଦେବାର ଅର୍ଥ ନୁହେଁ, ଲକ୍ଷାଧିକ ଯୁବକ ଯୁବତୀ ବେକାର ରହିବେ। କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବେ କହି ଦେଶବାସୀଙ୍କୁ ଭୁଆଁ ବୁଲାଇଲେ। ମନଇଚ୍ଛା ବିମୁଦ୍ରାକରଣ କଲେ, ଯାହାର ଫଳସ୍ବରୂପ ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ହରେଇଲେ ବୋଲି କଂଗ୍ରେସ କହିଛି । ରାଜ୍ୟରେ ଏବେ ପୁଣି ମରୁଡି ସମସ୍ୟା ସୃଷ୍ଟି ହେଲାଣି ରାଜ୍ୟର 80 ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ମରୁଡି ହେଲେ ସେସବୁ ଲୋକେ କରିବେ କଣ? ଦାଦନ ସମସ୍ୟା ଆହୁରି ଉତ୍କଟ ହେବ।
ନିଯୁକ୍ତି ଅଭାବରୁ ଶିକ୍ଷିତ ଯୁବକ ଯୁବତୀ ନିଶାଖୋର ହେଉଛନ୍ତି ଆଉ ଅପରାଧୀକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ତାରାପ୍ରସାଦ ବାହିନୀପତି । ସେହିଭଳି ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମକୁ ସମାଲୋଚନା କରି ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ଏକ ସର୍ଭେ ଅନୁଯାୟୀ ରାଜ୍ୟର 1 କୋଟି 14 ଲକ୍ଷ ଲୋକ ଦାଦନ ଖଟୁଛନ୍ତି । ସେଥିମଧ୍ୟରୁ 1 କୋଟି 4 ଲକ୍ଷ ଲୋକ ରାଜ୍ୟ ଭିତରେ ଓ 10 ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି।
ସରକାରୀ ହିସାବ ଅନୁଯାୟୀ 35ଲକ୍ଷ 4ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ 45ହଜାର 783ଜଣଙ୍କୁ ନିଯୁକ୍ତି ମିଳିଛି । ଅର୍ଥାତ 1.3 ପ୍ରତିଶତ ବା 100 ଜଣରେ ମାତ୍ର ଜଣଙ୍କୁ ନିଯୁକ୍ତି ମିଳୁଛି। ଗତ 17 ବର୍ଷରେ ବୌଦ୍ଧ, ଭଦ୍ରକ, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରୁ ଜଣଙ୍କୁ ହେଲେ ନିଯୁକ୍ତି ମିଳିନାହିଁ ବୋଲି ସେ କହିଛନ୍ତି ।
ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେବାକୁ ଯାଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଲମ୍ବା ତାଲିକା ପ୍ରଦାନ କରିଥିଲେ । ଦକ୍ଷ ଓ କୁଶଳୀ ଯୁବକ ଯୁବତୀଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ସହ ଚୁକ୍ତି କରାଯାଉଥିବା ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ