ଭୁବନେଶ୍ବର: ରାଜ୍ୟରେ ଏବେ ଟୀକାକରଣରେ ସଙ୍କଟ ଦେଖା ଦେଇଥିବା ବେଳେ ବିଏମସି ପକ୍ଷରୁ ମଧ୍ୟ ଟୀକାକରଣରେ କୌଣସି ଦୃଢ଼ ବ୍ୟବସ୍ଥା ଦେଖାଯାଉନାହିଁ। କେତେବେଳେ କୁହାଯାଉଛି କିଛି ଜରାଶ୍ରମ ଅନ୍ତେବାସୀଙ୍କୁ ଟିକା ଦେଲେଣି ତ, ଆଉ କେତେବେଳେ ବାସହୀନଙ୍କୁ , କେତେବେଳେ କିଛି ଆପାର୍ଟମେଣ୍ଟରେ ତ ଆଉ କେତେବେଳେ ମଲରେ ଡ୍ରାଇଭ ଟୀକାକରଣ। ବିଏମସି ଦୃଷ୍ଟିରେ ସମ୍ବେଦନଶୀଳ ଗୋଷ୍ଠୀ କିଏ ? ଏନେଇ ଉଠୁଛି ପ୍ରଶ୍ନ ।
ବ୍ୟବସ୍ଥିତ ଢଙ୍ଗରେ ଟୀକାକରଣ ପାଇଁ ବିଏମସି ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ନଥିଲା ଭଳି ଲାଗୁଛି। ବଡ ବଡ ଆପାର୍ଟମେଣ୍ଟରେ ଯଦି ଚିହ୍ନଟ କରାଯାଇ ଟୀକାକରଣ ହେଉଛି ତେବେ ବସ୍ତି ବାସିନ୍ଦାଙ୍କ ଉପରେ କଣ ପାଇଁ ବିଏମସିର ନଜର ପଡୁନି। ସେପଟେ ଟୀକାକରଣର ପ୍ରଥମ ଡୋଜ ମିଳିଥିବା ହିତାଧିକାରୀଙ୍କୁ ଦ୍ବିତୀୟ ଡୋଜ କେବେ ମିଳିବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି। ସାଧାରଣ ଲୋକଙ୍କୁ ସ୍ଲଟ ବୁକିଙ୍ଗ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ସୁଦ୍ଧା ଘଣ୍ଟା ଘଣ୍ଟା ଧରି ସ୍ଲଟ ବୁକିଙ୍ଗ ପାଇଁ ବସିରହିଲେ ମଧ୍ୟ ସ୍ଲଟ ମିଳୁନି।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଟୀକାକରଣ ନେଇ ବିଏମସିର ବ୍ଲୁ ପ୍ରିଣ୍ଟ ବ୍ୟବସ୍ଥିତ ନୁହେଁ । ତେବେ ଏହାରି ଭିତରେ କେବେ ଟିକା ମିଳିବ, ସେନେଇ ଭୁବନେଶ୍ୱର ବିଜେବି ନଗର ମଇଁଶା ଖାଲ ବସ୍ତି ବାସିନ୍ଦା ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ