ଭୁବନେଶ୍ବର: ଉତ୍ତର ପ୍ରଦେଶ ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ବବିଦ୍ୟାଳୟର ନିଖୋଜ ଦୁଇଜଣ ଦୃଷ୍ଟିହୀନ ଛାତ୍ରୀ । ଦୀର୍ଘ ୪୮ ଘଣ୍ଟାର ତଦନ୍ତ ପରେ ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କରିଛି ରେଲୱେ ପୋଲିସ । ଏହାପରେ ଦୁଇ ଛାତ୍ରୀଙ୍କୁ ହେପାଜତରେ ରଖିଛି ମଥୁରା ପୋଲିସ । ଏନେଇ ସହିଦନଗର ପୋଲିସକୁ ଉତ୍ତରପ୍ରଦେଶ ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ଗତ ୧୪ ତାରିଖରୁ ନିଖୋଜ ଥିଲେ ରମାଦେବୀ ବିଶ୍ବବିଦ୍ୟାଳୟର ଏହି ଦୁଇଜଣ ଦୃଷ୍ଟିହୀନ ଛାତ୍ରୀ । ଏନେଇ ପରିବାର ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଥିଲା । ୧୪ ତାରିଖରୁ ହଷ୍ଟେଲକୁ ଯିବା ପରେ ଆଉ ଘରକୁ ଫେରିନଥିଲେ ଯୁକ୍ତ ୩ରେ ପଢୁଥିବା ଏହି ଦୁଇ ଛାତ୍ରୀ । ଏହାସହ ଚିଠି ମଧ୍ୟ ହସ୍ତଗତ ହୋଇଥିଲା ।
ସେମାନେ ଭଗବାନଙ୍କ ପାଖକୁ ଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ଘଟଣା ପରଠାରୁ ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ତେବେ, ଏଠାରେ ପ୍ରଶ୍ନ ଉଠୁଛି ସେମାନେ କେଉଁ ଆଶ୍ରମ କି କେଉଁ ଧର୍ମାନୁଷ୍ଠାନକୁ ଯାଇଥିଲେ କି ? ତେବେ ଦୁଇ ଜଣଙ୍କ ପତ୍ତା ପାଇଛି ପୋଲିସ । ଆଜି(ବୁଧବାର) ମଥୁରା ରେଲଓ୍ବେ ଷ୍ଟେସନରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁଇ ଦୃଷ୍ଟିହୀନ ଛାତ୍ରୀ ରମାଦେବୀ ବିଶ୍ବବିଦ୍ୟାଳୟର ଯୁକ୍ତ ୩ରେ ପଢ଼ୁଛନ୍ତି । ଦୁହିଁଙ୍କୁ ଓଡ଼ିଶା ଆଣିବା ପାଇଁ ମଥୁରା ଯିବ କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ