ଭୁବନେଶ୍ବର: ହୁସିଆର ! ଆପଣଙ୍କ ଘରକୁ ଚାନ୍ଦା ପାଇଁ କେହି ଆସୁଛନ୍ତି କି ? ତେବେ ହୋଇଯାଆନ୍ତୁ ସତର୍କ । ନଚେତ ଆପଣ ହୋଇପାରନ୍ତି ଚୋରିର ଶିକାର। କାରଣ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏମିତି ଢଙ୍ଗରେ କଳାକନା ବୁଲାଉଥିବା ଦୁଇ ଅଭିଯୁକ୍ତ ହୋଇଛନ୍ତି ଗିରଫ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି କମନା ବରସାହି ଖୁର୍ଦାର ସୋମନାଥ ନାୟକ ଓ ମନୋରଞ୍ଜନ ନାୟକ। ଏହି ଦୁଇ ଅଭିଯୁକ୍ତ ଘର ଘର ବୁଲି ଠାକୁରଙ୍କ ନାଁରେ ଚାନ୍ଦା ମାଗୁଥିଲେ । ଏପରିକି ଏମାନେ ଟିକେ ମଉକା ପାଇଲେ ଘରୁ କଳାକନା ବୁଲାଉଥିଲେ ।

ଏପରି ଢଙ୍ଗରେ ଚୋରିର ଶିକାର ହୋଇ ଏୟାରଫିଲ୍ଡ ଥାନାରେ ତାପସ ଦାସ, ରାଜିବ ଲୋଚନ ଦାସ, କାହ୍ନୁଚରଣ ମହାନ୍ତି, ଲକ୍ଷ୍ମଣ ରାଉତ ସେମାନଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଇଛି । ଚୋରି ହୋଇଥିବା ମୋବାଇଲକୁ ଫେରାଇଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ