ଭୁବନେଶ୍ବର: ଦାଦାଗିରି ଚଲାଇଛନ୍ତି ବିଲ୍ଡର । ଜଣଙ୍କ ଠାରୁ ଟଙ୍କା ନେଇ ଆଉ ଜଣଙ୍କୁ ବିକ୍ରି କରୁଛନ୍ତି ଘର । ସବୁପରେ ପୋଲିସ ଛାଟକୁ ମଧ୍ୟ ଖାତିର ନାହିଁ । କାରଣ 'ପୋଲିସ ମାସିକିଆ ନେଉଛି କାହା ପାଖରେ ଅଭିଯୋଗ କରିବ କର' ବୋଲି ଖୋଲା ଧମକ ଦେଉଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ବେସାହାରା ହୋଇ ଯାଇଥିବା ଦୁଇ ଭଉଣୀ ।
ସୂଚନା ଅନୁଯାୟୀ, ଜଣେ ବିଲ୍ଡର ଠାରୁ ପାହାଳ ଥାନା ଅନ୍ତର୍ଗତ ଅଟଳା ଅଞ୍ଚଳରେ ୪୫ ଲକ୍ଷର ଏକ ଘର କିଣିଥିଲେ ଦୁଇ ଭଉଣୀ । ଘର କାର୍ଯ୍ୟ ନିର୍ମାଣଧୀନ ଥିବାରୁ ଦୁଇ ଭଉଣୀ ରୋଗିଣା ମାଆକୁ ନେଇ ନିକଟରେ ଏକ ଭଡା ଘରେ ରହୁଥିଲେ । ମାତ୍ର କିଛିଦିନ ପରେ ବିଲ୍ଡର ଜଣଙ୍କ ଘରକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ । ଫଳରେ ଏନେଇ ବିଲ୍ଡରକୁ କହିବାରୁ, ଓଲଟା ଘରଭଡା ଦେଇଥିବା ମାଲିକ ଉପରେ ଚାପ ପକାଇ ସେମାନଙ୍କୁ ଭଡା ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି ।
ଏନେଇ ପୂର୍ବରୁ ପାହାଳ ଥାନାର ଏକାଧିକ ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦୁଇ ଭଉଣୀ କହିଛନ୍ତି । ପୋଲିସ ମାସିକିଆ ନେଉଛି କେଉଁଠି ଅଭିଯୋଗ କରିବ ଯାଅ ବୋଲି ଧମକ ଦେଉଛି ବିଲ୍ଡର । ଏସବୁ ମଧ୍ୟରେ ଶେଷରେ ବାଧ୍ୟ ହୋଇ ଆଜି(ରବିବାର) ମାଆକୁ ଡାକ୍ତରଖାନାରେ ଛାଡି DCP ଅଫିସରେ ପହଞ୍ଚିଛନ୍ତି ଦୁଇ ଭଉଣୀ । ସେପଟେ ରବିବାର ଥିବାରୁ ଡିସିପିଙ୍କୁ ଭେଟିନପାରି କାର୍ଯ୍ୟାଳୟ ବାରଣ୍ଡାରେ ଜିଦ୍ ଧରି ବସିବାରୁ ଖାଦ୍ୟ ମଗାଇ ଖାଇବାକୁ ଦେଇଛି ପୋଲିସ । ବିଲ୍ଡର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଅପେକ୍ଷାରେ ରହିଛନ୍ତି ଦୁଇ ଭଉଣୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ