ଭୁବନେଶ୍ବର: ରାଜ୍ୟ ସଚିବାଳୟରେ ବୁଧବାରଠାରୁ ଆରମ୍ଭ ହୋଇଛି ୨ ଦିନିଆ CDMO ସମ୍ମିଳନୀ । ଏହି ୨ ଦିନିଆ ସମ୍ମିଳନୀରେ ରାଜ୍ୟରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରାଯିବ । ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟକୁ ଏକନମ୍ବର କରିବା ପାଇଁ ସମସ୍ତ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବିଚାର କରି ସମାଧାନର ସୂତ୍ର ବାହାର କରାଯିବ । ନବଗଠିତ ସରକାରରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟରେ ଆଉ ସ୍ବାସ୍ଥ୍ୟଜନିତ ସମସ୍ୟା ରହିବ ନାହିଁ । ଆଗାମୀ ୨ ବର୍ଷରେ ରାଜ୍ୟରେ ବଳକା ଡାକ୍ତର ନିଯୁକ୍ତ ହେବେ । ଏଥିସହ ରାଜ୍ୟର କୋଣ ଅନୁକୋଣରେ ଡାକ୍ତରଖାନା ଓ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ ।
ଏହି ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଯୋଗ ଦେଇଛନ୍ତି । ସମସ୍ତ ଜିଲ୍ଲାରୁ ଆସିଥିବା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ନିଜ ଜିଲ୍ଲାର ସମସ୍ୟା ଉପରେ ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ ଦ୍ବାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୨୦୨୫ ଯାଏଁ ଏକ ଭିଜନ ପ୍ରସ୍ତୁତ କରାଯାଇଛି । ଏ ଦିଗରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ଏହା ସହ ରାଜ୍ୟର ସମସ୍ତ ଲୋକଙ୍କ ପାଖରେ କିଭଳି ମେଡିକାଲ ସୁବିଧା ପହଞ୍ଚିପାରିବ ତା' ଉପରେ ମଧ୍ୟ ଗୁରୁତ୍ବ ଦେବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସମସ୍ତଙ୍କୁ ମାଗଣା ଚିକିତ୍ସା ଆମର ଲକ୍ଷ୍ୟ, ମେଡିକାଲ କଲେଜ ସମ୍ପର୍କରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଏହା ସହ ସ୍ବାସ୍ଥ୍ୟ ବିଭାଗର vision-2025 ପଲିସି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପ୍ରଥମେ ଆଗାମୀ 100 ଦିନ ପାଇଁ ଖସଡା ପ୍ରସ୍ତୁତ ହେଉଥିବା କଥା କହିଛନ୍ତି ସେ । ରାଜ୍ୟର ପ୍ରତ୍ୟେକଙ୍କୁ ମାଗଣା ସ୍ଵାସ୍ଥ୍ୟସେବା ଯୋଗାଇଦେବା, ଡାକ୍ତର ଅଭାବ ସମାଧାନ ପାଇଁ ଭିନ୍ନଭିନ୍ନ କମିଟି ହେବ । ଏହାସହ ଡାକ୍ତରଙ୍କୁ ଚାକିରି ପ୍ରତି ଆକର୍ଷିତ କରିବା ପାଇଁ ଖୁବଶୀଘ୍ର ନୂତନ ପଲିସି ଆଣିବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ