ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଭାରମ୍ଭ ହେଲା ପଞ୍ଚଦଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା । ଓଡିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ପ୍ରତିବର୍ଷ ଡିସେମ୍ବରରେ ଆୟୋଜନ କରାଯାଉଥିବା ଏହି ମେଳାକୁ କୋରୋନା କଟକଣା ଯୋଗୁଁ ଜାନୁୟାରୀରେ ଆୟୋଜନ କରାଯାଇଛି ।
ସ୍ଥାନୀୟ ଜନତା ମୈଦାନ ଠାରେ 15 ଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ମେଳାରେ ଚଳିତ ବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଭାଗନେଇ 250 ଟି ଷ୍ଟଲ ମାଧ୍ୟମରେ ସେମାନଙ୍କ ସାମଗ୍ରୀର ବିକ୍ରି ବଟା କରାଯିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଆମ ରାଜ୍ୟର 170ଟି ବାହାର ରାଜ୍ୟରେ 80ଟି ଷ୍ଟେଲରେ ବୁଣାକାର, ହସ୍ତଶିଳ୍ପୀ ଓ ହସ୍ତତନ୍ତର କାରିଗରମାନେ ଭାଗ ନେଇଛନ୍ତି ।
ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖାଦ୍ୟପେୟ ବଜାରର ଆୟୋଜନ କରାଯାଇ ନଥିବା ସୂଚନା ରହିଛି । ଆଜି ଏହି ଉଦ୍ଘାଟନୀ ଅବସରରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୋଭା ଶର୍ମା, ନିର୍ଦ୍ଦେଶକ ବସନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ ବୁଣାକାର ଓ ଜନସାଧାରଣମାନଙ୍କୁ କୋଭିଡ କଟକଣା ମାନିବାକୁ ଅନୁରୋଧ କରିଛନ୍ତି ।
ଏଥର ଏପରି ପରିସ୍ଥିତିରେ ଆୟୋଜନ କରାଯାଇଥିଲେ ମଧ୍ୟ ବିଗତ ବର୍ଷ ତୁଳନାରେ ଭଲ ବ୍ୟବସାୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି ବର୍ଷ 2019 ମସିହା ପାଇଁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଶିଳ୍ପୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ