ଭୁବନେଶ୍ବର: ନନ୍ଦନକାନନକୁ ଆସିବେ 8 ନୂଆ ବନ୍ୟପ୍ରାଣୀ। ଏନେଇ ଦେଶର ସମସ୍ତ ଚିଡିଆଖାନା ସହ ଆଲୋଚନା ହୋଇଛି। ଆସନ୍ତାକାଲି ସୁଦ୍ଧା ଏହି ଜୀବଜନ୍ତୁ ଆସିବା ନେଇ ସୂଚନା ଦିଆଯାଇଛି।
ନନ୍ଦନକାନନକୁ ଆସିବେ 8 ନୂଆ ଅତିଥି। ଏନେଇ ଦେଶର ସମସ୍ତ ଚିଡିଆଖାନା ସହ ଆଲୋଚନା ହୋଇଛି। ଜୟପୁର ଚିଡିଆଖାନାରୁ 8 ଟି ପ୍ରାଣୀ ଆସିବେ। ସେଥି ମଧ୍ୟରୁ 2 ଟି କଲରାପତରିଆ ବାଘ, 2 ଟି ପୁରୁଷ କୁମ୍ଭୀର, 2 ଟି ପେଚା, 2 ଟି ଚିଙ୍କାର ପକ୍ଷୀ ଆଦି ଆସିବ ବୋଲି ଯୋଜନା ରହିଛି। ଏହି ସମସ୍ତ ବନ୍ୟଜନ୍ତୁ ଆଜି କାଲି ମଧ୍ୟରେ ନନ୍ଦନକାନନରେ ଆସି ପହଞ୍ଚିବେ। ସମସ୍ତଙ୍କୁ 14 ଦିନ ସଂଗରୋଧରେ ରଖାଯିବ । ଏହା ପରେ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ। 10 ଓ 11 ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଯେଉଁଠିକି ଚିଡ଼ିଆଖାନାର ଅଧିକାରୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେବେ।
ଦେଶରେ ଥିବା ଚିଡିଆଖାନା ଗୁଡିକରେ ଜିରାଫର ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି । ନନ୍ଦନକାନନରେ ଗୋଟିଏ ପୁରୁଷ ଜିରାଫ ରହିଛି। ଆଉ ଏକ ଜିରାଫ(ସ୍ତ୍ରୀ) ଆଣିବାକୁ ଅନ୍ୟ ସମସ୍ତ ଚିଡିଆଖାନା ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ଗଣ୍ଡା ପାଇଁ ପାଟନା ଚିଡିଆଖାନା ସହ କଥାବାର୍ତା ହୋଇଛି। ଏହା ଖୁବ ଶୀଘ୍ର ଆସିବ ବୋଲି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ