ଭୁବନେଶ୍ବର: ରାଜ୍ୟ ସରକାର 2020-21 ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ଦ୍ବିତୀୟ ବଜେଟ ଗୃହରେ ଆଗତ କରିବେ । ଚଳିତ ଆର୍ଥିକ ବର୍ଷ ଲାଗି ସରକାର ଦେଢ ଲକ୍ଷରୁ ଊର୍ଦ୍ଧ୍ବ କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି ।
ବଜେଟ ଆସିବା ପୂର୍ବରୁ ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ 2019-20ର ଆର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି । ଏଥିରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ GSDP ହ୍ରାସ ପାଇଥିବା ବେଳେ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇଛି । ଏପରିକି ଗତ ଆର୍ଥୀକ ବର୍ଷ ତୁଳନା 19-20ର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ତେବେ ବଜେଟରେ ସରକାର ବିଭିନ୍ନ କ୍ଷେତ୍ର ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇପାରନ୍ତି । ଯଥା ଭିତ୍ତିଭୂମି, ଶିକ୍ଷା, ଜଳସେଚନ, ମହିଳା, ସାମାଜିକ ବିକାଶ, ରୋଜଗାର ସୃଷ୍ଟି । ଖାସ କରି କାଳିଆ ଯୋଜନାକୁ ନେଇ ସରକାର କେଉଁ ନୂଆ ପଦକ୍ଷେପ ଆଣିବେ ସେ ନେଇ ଚାଷୀଙ୍କ ଧ୍ୟାନ ରହୁଥିବା ବେଳେ । 5T ଓ ମୋ ସରକାରକୁ ନେଇ ସରକାର ବଜେଟ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି ।
ଏହାସହିତ ସରକାରଙ୍କ ଆଗରେ ମଧ୍ୟ ବିଭିନ୍ନ ଚ୍ୟାଲେଞ୍ଜ ରହିବ । କାରଣ ମାନ୍ଦାବସ୍ଥା କାରଣରୁ ଖଣିଖନନ ଓ ଉତ୍ପାଦନ ହ୍ରାସ ପାଉଥିବାର ସରକାରଙ୍କ ଟିକସ ଆଦାୟ ତୁଳନାତ୍ମକ ଭାବେ ଖସୁଛି । ତେଣୁ ବର୍ତ୍ତମାନ ପାଇଁ ସରକାରଙ୍କୁ ଏକପ୍ରକାର ସମ୍ବଳ ଚିନ୍ତା ଘାରିଛି । ବିଶେଷ କରି ଓଡିଶା ଦେଶର ସର୍ବ ବୃହତ ବେରୋଜଗାରୀ ରାଜ୍ୟ ଭାବେ ପରିଗଣିତ ହୋଇଥିବାରୁ ବିଗତ କିଛି ବର୍ଷ ହେବ ନିରନ୍ତର ଭାବେ ଚାଷୀମାନେ ମଧ୍ୟ ଦାବି ଜଣାଇ ଆସୁଛନ୍ତି । ତେଣୁ ଏସବୁ କ୍ଷେତ୍ର ପ୍ରତି ଧ୍ୟାନ ଦେବା ସରକାରଙ୍କ ପ୍ରତି ଚ୍ୟାଲେଞ୍ଜ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ