ଭୁବନେଶ୍ବର: ପିପିଲ ଉପନିର୍ବାଚନକୁ ନେଇ ସରଗରମ ମାହୋଲ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆଜି ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ଧରିବେ ପ୍ରଚାର ମଙ୍ଗ । ନବୀନଙ୍କ ଏହି ପ୍ରଚାର ପ୍ରସାର ସମ୍ପୂର୍ଣ୍ଣ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର ହେବ ।
ଆସନ୍ତା 17 ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନ ଦାଖଲ ପରେ ଆରମ୍ଭ ହୋଇଛି ପ୍ରଚାର । ଏଥର ବିଜେଡି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି । ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଜୁନିୟର ମହାରଥୀଙ୍କ ପାଇଁ ନିଜେ ନବୀନ ପ୍ରଚାର କରିବେ ।
ପିପିଲି ବ୍ଲକ ଓ ଏନଏସି ପାଇଁ ପ୍ରଚାର କରିବେ ନବୀନ । ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ ଭୋଟ ମାଗିବେ ଦଳର ସୁପ୍ରିମୋ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲ ବ୍ଲକର 3ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ କରିବେ ପ୍ରଚାର ।
ପିପିଲି ଉପନିର୍ବାଚନ ପାଇଁ ଯେତିକି ସମୟ ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । କମ୍ପୁଛି ପ୍ରଚାର ମୈଦାନ । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ପିପିଲିରେ ଡେରା ପକାଇଛନ୍ତି ବଡ ବଡ ନେତା ମନ୍ତ୍ରୀ ।
ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପାଇଁ ପିପିଲି ବିଜେଡିର ଗଡ ରହିଥିଲା । ନିଜର ଗଡ ବଞ୍ଚାଇବାକୁ ବିଜେଡି ଜୋରଦାର ପ୍ରୟାସ କରୁଛି । ଏଥିପାଇଁ 4 ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ମଧ୍ୟ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ବର ମହାନ୍ତି ଓ ସଞ୍ଚୟ ଦାସ ବର୍ମା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ