ଭୁବନେଶ୍ବର: ରାଜଧାନୀରେ କାଳବୈଶାଖୀର ପ୍ରଭାବ ଗୁରୁବାର ମଧ୍ୟ ଦେଖିବାକୁ ମିଳିଛି । ବର୍ଷାରେ ବେହାଲ ହୋଇଛି ରାଜଧାନୀ । ବିଜୁଳି ଘଡ଼ଘଡି ସହ ଦୀର୍ଘ ଅଧ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ସେପଟେ ବର୍ଷା କାରଣରୁ କିଛି ସମୟ ପାଇଁ ଜୀବନଯାତ୍ରା ବ୍ୟାହତ ରହିଛି ।
ମୁଷଳ ଧାରାରେ ବର୍ଷା ହେବା ପରେ ଏହାର ପ୍ରଭାଵରେ ରାଜଧାନୀର ରାଜରାସ୍ତାରେ ଆଣ୍ଠୁଏ ପାଣି ଜମିଛି । ସାଧାରଣ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଯୋଗୁଁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହୋଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ସହରରେ କାଳବୈଶାଖୀ ବର୍ଷା ହେବାର ଥିଲା । ତେବେ ଏହି କାଳବୈଶାଖୀ ପ୍ରଭାବରୁ ଦିନ ୧୨ ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି ।
ଅନ୍ୟପଟେ ଲକଡାଉନ ରାଜ୍ୟବ୍ୟାପୀ ଜାରି ରହିଥିବା ବେଳେ କାଳବୈଶାଖୀ ଆହୁରି ସହରକୁ ଶାନ୍ତ କରିଦେଇଛି । ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ଦେଖିବାକୁ ମିଳିଛି । ରାଜ୍ୟରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଏଭଳି ବର୍ଷା ପବନ ହେବାର ଆଶଙ୍କା ରହିଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର 12ଟି ଉଳକୂଳ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ