ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆଡମ୍ବର ଶୂନ୍ୟ ହେବ ମା'ଙ୍କ ପୂଜା । ରାଜଧାନୀରେ ଛୋଟ ବଡ ମିଶାଇ ମୋଟ 170ଟି ମେଢ଼ ରହିଥିବାବେଳେ ଦେଖିବାକୁ ମିଳିବନି ଆଗଭଳି ଲୋକଙ୍କ ଗହଳି ଚହଳି... କି ଶୁଭିବନି ଡିଜେ ସାଉଣ୍ଡ । ବିନା ଭକ୍ତରେ ପୂଜା ପାଇବେ ମା' । ରାଜଧାନୀରେ କଡାକଡି ହୋଇଛି କୋଭିଡ କଟକଣା । ମଣ୍ଡପରେ ଦେଖିବାକୁ ମିଳିବନି 7 ରୁ ଅଧିକ ଲୋକ । କଟକଣା ନେଇ ଭକ୍ତଙ୍କ ମନ ଦୁଃଖ ଥିବାବେଳେ ପ୍ରତିଟି ଭକ୍ତ କିପରି ମା'ଙ୍କ ଦର୍ଶନ ପାଇ ପାରିବେ ସେନେଇ ଆୟୋଜନ କରିଛନ୍ତି ପୂଜା କମିଟି । ଏଥର ଅନଲାଇନରେ ଦର୍ଶନ କରିବେ ଭକ୍ତ । ଖାଲି ଦର୍ଶନ ନୁହେଁ ପ୍ରସାଦ ବଣ୍ଟନର ମଧ୍ୟ ରହିଛି ବ୍ୟବସ୍ଥା ।
ରସୁଲଗଡ଼, ଶହୀଦନଗର, ନୟାପଲ୍ଲୀ, ଓଲଡ଼ ଷ୍ଟେସନ ବଜାର ପୂଜା ଭଳି ବଡ ବଡ ପୂଜା ମଣ୍ଡପରେ ମା' ଙ୍କର ସପ୍ତମୀ ପୂଜା ଠାରୁ ଦଶମୀ ପୂଜା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଅନଲାଇନରେ ହେବ ସିଧା ପ୍ରସାରଣ । ଦିନକୁ 3 ଥର ପୁଷ୍ପାଞ୍ଜଳୀ ଦେଇପାରିବେ ଏହାସହ ଦଶମୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ । ତେବେ ମା' ଙ୍କ ପ୍ରସାଦ ପାଇବା ପାଇଁ ଦିନକ ପୂର୍ବରୁ କରିବାକୁ ପଡିବ ବୁକିଙ୍ଗ।
ପ୍ରତିବର୍ଷ ଦଶହରାକୁ ବେଶ ଯାକ ଯମକରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କିନ୍ତୁ ସବୁ କିଛି ଫିକା ପଡିଯାଇଛି । ହେଲେ ଫିକା ପଡିନି ଲୋକଙ୍କ ଉତ୍ସାହ କି ଭକ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରୁଖୁରୁରେ ପୂଜା କରିବାକୁ ହୋଇଛି ସମସ୍ତ ପ୍ରକାରର ପ୍ରସ୍ତୁତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ