ଭୁବନେଶ୍ବର: ରବିନ୍ଦ୍ରମଣ୍ଡପରେ ଆୟୋଜିତ ହେଉଥିବା ଜାତୀୟ ନାଟକ ଉତ୍ସବ ପୂର୍ବରଙ୍ଗର ଗତକାଲି(ବୁଧବାର) ଥିଲା ତୃତୀୟ ସନ୍ଧ୍ୟା। ଯେଉଁଥିରେ ଗୌହାଟୀରୁ ଆସିଥିବା ସିଗଲ ଥିଏଟର ଗ୍ରୁପର କଳାକାରମାନେ ହିନ୍ଦୀ ନାଟକ ‘କମଳା ଦେବୀ’ ପରିବେଷଣ କରିଛନ୍ତି। ଏହି କମଳା ଦେବୀ ହେଉଛନ୍ତି ପ୍ରାକ ସ୍ବାଧୀନତା ସମୟର ମାଡ୍ରାସ ଅଞ୍ଚଳର ଜଣେ ଭଦ୍ର ମହିଳା। ଯିଏ କି ନାରୀମାନଙ୍କ ଅଧିକାର ପାଇଁ ଲଢେଇ କରିବା ସହ ଭାରତର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ନିଜର ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ।
ଜୀବନର ଅୟମାରମ୍ଭ ତାଙ୍କର ଏକ ଖାନଦାନୀ ଘରେ ହୋଇଥିଲା। କିନ୍ତୁ ପରିବାରରେ ପିତାଙ୍କ ମୃତ୍ୟୁ ପରେ ପରେ ଘୋର ସଙ୍କଟ ଦେଖା ଦେଇଥିଲା। ହେଲେ ତାଙ୍କ ମାତା ତାଙ୍କୁ ଲାଳନ ପାଳନ କରିବା ସହ ଷୋହଳ ବର୍ଷ ବୟସରେ ତାଙ୍କୁ ବିବାହ କରାଇଦେଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେ କମ ବୟସରେ ବିଧବା ହୋଇଗଲେ। ଆଉ ତାପରେ କିପରି ତାଙ୍କ ମା ତାଙ୍କୁ ପୁନଃ ବିବାହ ଦେବା ସହ ସେ ମହିଳା ଓ ସମାଜ ପାଇଁ ଲଢେଇ କରିଥିଲେ, ତାହାକୁ ନାଟକ ମାଧ୍ୟମରେ କଳାକାରମାନେ ନିଖୁଣ ଭାବେ ଉପସ୍ଥାପିତ କରିଛନ୍ତି।
ଏହି ନାଟକଟି ମୂଳ କନ୍ନଡ଼ ଭାଷାରେ ଜାନକୀ ଶ୍ରୀନିବାସ ମୂର୍ତ୍ତୀଙ୍କ ଦ୍ଵାରା ଲେଖା ଯାଇଥିବା ବେଳେ ଏହାକୁ ମାଧବୀ ଭଣ୍ଡାରୀ ହିନ୍ଦୀ ଅନୁବାଦ କରିଥିଲେ। ଆଉ ଏହାକୁ ନାଟ୍ୟ ନିର୍ଦେଶନା ଦେଇଥିଲେ ଭାଗିରଥି ବାଇ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ