ଭୁବନଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରର ୭ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୁର୍ଣ୍ଣିଝଡ ସହ ବିଜୁଳି, ଘଡଘଡି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏଥିଲାଗି ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଏହି ସମୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ନୂଆପଡା, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ସହ ବିଜୁଳି, ଘଡଘଡି ଓ କୁଆପଥର ବର୍ଷାର ସମ୍ଭାବନା ରହିଛି । ବିଶେଷ ଭାବେ କୋରାପୁଟ,ରାୟଗଡା, କନ୍ଧମାଳ, କେନ୍ଦୁଝର, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ପ୍ରମୁଖ ୭ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲ ମାର୍କରେ ପରିଣତ ହୋଇଛି । ତେବେ ଏହି ୱେଲ ମାର୍କ ପରେ ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ଶୁକ୍ରବାର ସୁଦ୍ଧା ଲଘୁଚାପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଥିବା ବେଳେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଝଡ଼ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ତେବେ ୧୮ ଓ ୧୯ ତାରିଖ ତାରିଖ ବେଳକୁ ଝଡ଼ ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଯିବ ।
ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୨ ସେ.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ତାଳଚେରରେ ସର୍ବାଧିକ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୩୬.୨ ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ