ଭୁବନେଶ୍ବର: ଆଜି(ଶୁକ୍ରବାର) ପଛୁଆ ବର୍ଗ ସର୍ଭେକୁ ବିଧିବଦ୍ଧ ଭାବେ ଅନୁମତି ମିଳିଛି । ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆଧାରରେ ସର୍ଭେ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଉ ଏନେଇ ପଛୁଆ ବର୍ଗ କମିଶନ ଏହି ସର୍ଭେ କରିବେ ବୋଲି ନୀତିଗତ ନିଷ୍ପତ୍ତି ନିଆଯାଇଛି ।
ଏନେଇ ଆଜି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ସର୍ଭେ ଦ୍ବାରା ରାଜ୍ୟରେ ଥିବା ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ କରାଯିବ । ରାଜ୍ୟ ପଛୁଆବର୍ଗ କମିଶନ ମାଧ୍ୟମରେ ଏହି ସର୍ଭେ ଆରମ୍ଭ ହେବାକୁ ଯାଉଛି ।
୨୦୨୧ ଜନଗଣନା ବେଳେ ଜାତିଭିତ୍ତିକ ଗଣନା କରିବାକୁ କେନ୍ଦ୍ର ପାଖରେ ଦାବି କରିଥିଲେ ରାଜ୍ୟ ସରକାର। କିନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଉତ୍ତର ରଖି ସ୍ବତନ୍ତ୍ର ଭାବେ OBC ଗଣନା ହେବ ନାହିଁ ବୋଲି କହିଥିଲେ । ତେଣୁ ରାଜ୍ୟ ସରକାର ନିଜ ସ୍ତରରେ ପଛୁଆବର୍ଗଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ