ଭୁବନେଶ୍ବର: ପ୍ରଥମେ ବ୍ୟବସାୟ ପାଇଁ ଧାର ମାଗି ଟଙ୍କା ନେଲେ । ପରେ ଟଙ୍କା ଦେଇଥିବା ମହିଳା ଟଙ୍କା ଫେରାଇବା ପାଇଁ କହିବାରୁ ଆରମ୍ଭ ହେଲା ବ୍ଲାକମେଲ । ମହିଳାଙ୍କୁ ଫୋନ କରି କଲେ ହଇରାଣ ହରକତ । ଟଙ୍କା ଫେରାଇ ବଦଳରେ ଇଜ୍ଜତ ଲୁଟିବାକୁ କଲେ ଯୋଜନା । ଆଉ ଶେଷରେ ଯୋଜନାରେ ଅଭିଯୁକ୍ତ ସଫଳ ବି ହେଲା । ମହିଳାଙ୍କ ସ୍ବାମୀ ଘରେ ନଥିବା ବେଳେ ଘରକୁ ଆସି ମହିଳାଙ୍କୁ ଦୁଷ୍କର୍ମ କଲେ । ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରି ନିତିଦିନିଆ ଚାଲିଲା ବ୍ଲାକମେଲ । ଯାହାପରେ ନ୍ୟାୟ ପାଇଁ ପୀଡିତା ବାରମ୍ବାର ଥାନାକୁ ଦୌଡୁଛନ୍ତି ହେଲେ ମୋ ସରକାର 5T ର ଦ୍ବାହି ଦେଉଥିବା ପୋଲିସ ଏଠି ନ୍ୟାୟ ଦେବା ବଦଳରେ ପୀଡିତାଙ୍କୁ ନିରାଶ କରୁଛି । ନ୍ୟାୟ ପାଇଁ ଡିସିପି ଅଫିସକୁ ଦଉଡି ଦଉଡି ମହିଳାଙ୍କ ନୟାନ୍ତ ହେବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।
ଏହି ଅଭିଯୋଗ ଆସିଛି ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରୁ । ଅଭିଯୋଗକାରିଣୀ ମହିଳା ଜଣଙ୍କ ବାପୁଜୀ ନଗରରେ ଥିବା ଏକ ଏଲଇଡି ଦୋକାନ ମାଲିକ ନାଁରେ ଆଣିଛନ୍ତି ଟଙ୍କା ଲୁଟ ଓ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ । ପୋଲିସ ମାମଲା ରୁଜୁ କରିଛି । ଅଭିଯୋଗ ହୋଇଥିବା ଦୋକାନ ମାଲିକଙ୍କ ନାଁରେ ଲାଗିଛି ୩୭୬(୨) ଏନ, ୩୨୩, ୪୦୬, ୨୦୭, ୫୦୬, ୩୧୩, ୪୧୭, ୩୪ । କିନ୍ତୁ ଅଭିଯୋଗ ଆସିଥିବା ଦୋକାନ ମାଲିକଙ୍କୁ ଗିରଫ କରିବା ତ ଦୂରର କଥା, ପୋଲିସ ଜେରା ମଧ୍ୟ କରୁନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ