ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀମାନେ ଦେବେ ପରୀକ୍ଷା । ପରୀକ୍ଷକ ସାଜିବେ ନିଜେ ମୁଖ୍ୟମନ୍ତ୍ରୀ । ତାପରେ କାର୍ଯ୍ୟଦକ୍ଷତା ଆଧାରରେ ମିଳିବ ମାର୍କ । କେଉଁ ମନ୍ତ୍ରୀ ପାସ ଆଉ କିଏ ଫେଲ ତାର ଫଇସଲା କରିବେ ମୁଖ୍ୟମନ୍ତ୍ରୀ । କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିଲେ ମଧ୍ୟ ଏମିତି କିଛି ହେବାକୁ ଯାଉଛି ଶାସକ ବିଜେଡିରେ । ମେ 15 ରୁ 25 ଯାଏଁ ମନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତାର ପରୀକ୍ଷା ନେବାକୁ ଯାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ନବୀନ ।
ଆସନ୍ତା ମେ 29ରେ ନବୀନ ସରକାର 5ମ ପାଳିର 2ୟ ବର୍ଷ ପୂରଣ କରୁଛି । ଗତ2 ବର୍ଷରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ କେଉଁ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବେ ବିଭାଗୀୟ ମନ୍ତ୍ରୀ । ରିପୋର୍ଟ କାର୍ଡର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ 5T ଓ ମୋ ସରକାର କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗ କିଭଳି କାର୍ଯ୍ୟକାରୀ କରିଛନ୍ତି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ।
ସେପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କିଛି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଛନ୍ତି । ଏହା ଦ୍ୱାରା ବିଭାଗ ଅଧିକ ପାରଦର୍ଶୀ ହୋଇପାରିବ । ଏହା ଫଳରେ ବିଭାଗରେ କଣ କାର୍ଯ୍ୟ ହୋଇଛି, ତାହା ସାଧାରଣ ଲୋକେ ଜାଣି ପାରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଆମେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ । ଆମ ବିଭାଗ ଭଲ କାର୍ଯ୍ୟ କରିଛି । କୋରନା ପାଇଁ କିଛି କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ଆମ ସରକାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି । 2024 ସୁଦ୍ଧା ରାଜ୍ୟର କୌଣସି ବ୍ରିଜ ସମସ୍ୟା ରହିବ ନାହିଁ ।କିଏ ମନ୍ତ୍ରୀ ମଣ୍ଡଳରେ ରହିବ କି ବାହାରିବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ଏହାକୁ କଟାକ୍ଷ କରିଛନ୍ତି ବିରୋଧୀ । ପ୍ରଶାସକଙ୍କ ଦ୍ଵାରା ସରକାର ଚାଲିଛି । ମନ୍ତ୍ରୀଙ୍କର କିଛି ଭୂମିକା ନାହିଁ । ସଚିବଙ୍କ ଉପରେ ମନ୍ତ୍ରୀ ନିର୍ଭର କରନ୍ତି । ସଚିବ ଯାହା ଲେଖିକି ଦେବେ ତାହା ମନ୍ତ୍ରୀମାନେ ପଢିବେ ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।ଏହାରି ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ନେଇ ମଧ୍ୟ ଆଭାସ ମିଳିଛି । ପ୍ରାୟ 5 ରୁ 6 ଜଣଙ୍କୁ ମନ୍ତ୍ରୀ ମନ୍ତ୍ରୀମଣ୍ଡଳୀରୁ ବିଦା କରିବା ନେଇ ନବୀନ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।ଏହି ଧାରରେ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବା ମନ୍ତ୍ରୀମଣ୍ଡଳୀରୁ ବାଦ ଦେବା ଲାଗି ନବୀନ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ବିବାଦକୁ ଛାଡିଲେ ଆଖିଦୃଶିଆ କାର୍ଯ୍ୟ କରିନଥିବା ଏବଂ ନିଷ୍କ୍ରିୟ ହୋଇଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ବିଦା କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।
ନୟାଗଡ଼ ନାବାଳିକା ହତ୍ୟା ମାମଲା ,ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦୀୟ ହୋଇଛନ୍ତି କୃଷି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେହିପରି ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିବାଦୀୟ ହୋଇଥିଲେ । ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡା ମନ୍ତ୍ରୀ ତୁସାରକାନ୍ତି ବେହେରା, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜାତି ଏବଂ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଶା ମୁତାବକ କାର୍ଯ୍ୟ କରିନଥିବା ମଧ୍ୟ ଚର୍ଚ୍ଚା ହେବା ସହ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେହିପରି ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ଆଉ କିଛି ଯୁବ ବିଧାୟକଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପୁନଃ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ କିଏ ପାସ ହୋଇ ପଦ ବଜାୟ ରଖିବେ ଓ କିଏ ଫେଲ ହୋଇ ପଦ ହରାଇବେ ତାହା ଚର୍ଚ୍ଚାର ଶିର୍ଷରେ ଥିବାବେଳେ ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ