ଭୁବନେଶ୍ବର: ଆତ୍ମ ନିର୍ଭରଶୀଳ ହେଉଛନ୍ତି ମହିଳା । ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କରାଯାଇଛି ଆତ୍ମ ନିର୍ଭରଶୀଳ । ସେମାନଙ୍କ ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦ୍ଦେଶ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ ମିଶନ ଶକ୍ତି ମହିଳା ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ କରାଯାଉଛି ନିୟୋଜିତ । ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ ଉନ୍ନୟନଭିର୍ତ୍ତିକ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି ।

ବିଭାଗର ଆହାର, ଜଳସାଥୀ, ସହରୀ ମଜୁରୀଭିତ୍ତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ବଚ୍ଛ ଭାରତ ମିଶନରେ ସାମିଲ କରାଯାଇଛି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ମାଧ୍ୟମରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଞ୍ଚଳର ୱାର୍ଡ, ବସ୍ତି ଅଞ୍ଚଳରେ ରହୁଥିବା ଗରିବ ମହିଳା ମାନଙ୍କୁ ସଂଘଟିତ କରାଯାଇଛି । ୩୨ ହଜାରରୁ ଉର୍ଦ୍ଧ୍ବ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦ ଆଞ୍ଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଛି ।
ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନ ଜୀବିକା ନିମନ୍ତେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ୍ୟ ଟଙ୍କାର ସୁଲଭ ଋଣ ପ୍ରଦାନ କରାଯାଇଛି । ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠୀମାନଙ୍କୁ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଅଛି । ଅଦ୍ୟାବଧି ଉକ୍ତ କାର୍ଯ୍ୟକ୍ରମରେ ସର୍ବମୋଟ ୨ କୋଟି ୬୭ ଲକ୍ଷ ଟଙ୍କାର ସୁଧ ରିହାତି ଦିଆଯାଇଅଛି ।
ଏହି ଋଣ ମାଧ୍ୟମରେ ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା ସିଲେଇ, ଉପହାର କେନ୍ଦ୍ର, ଲୁଗାପଟା ବିକ୍ରୟ ଦୋକାନ, ପନିପରିବା ବିକ୍ରୟ ଦୋକାନ, ଜଳଖିଆ ଦୋକାନ, ସ୍କୁଲ ବ୍ୟାଗ୍, ଫିନାଇଲ ତିଆରି, ଖଲିପତ୍ର ତିଆରି ଓ କୁକୁଡ଼ା ପାଳନ କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଏହି ପ୍ରକ୍ରିୟା ଆଗାମୀ ଦିନରେ ଆହୁରି ତ୍ବରାନ୍ବିତ ହେବା ସହ ଅନେକ ସହରୀ ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ