ଭୁବନେଶ୍ବର: ରାଜ୍ୟରେ ମନ୍ଦିର ସହ ଅନ୍ୟ ଧାର୍ମିକସ୍ଥଳ ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ । କୋରୋନା କାରଣରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା ରାଜ୍ୟର ସମସ୍ତ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ । ଆଗାମୀ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୋରୋନା କଟକଣା ଭିତରେ ସରକାରୀ ଗାଇଡଲାଇନ ଅନୁସାରେ କିଭଳି ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ଚର୍ଚ୍ଚ, ମସଜିଦ୍ ଖୋଲାଯାଇପାରିବ, ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କିଭଳି ପଦକ୍ଷେପ ନିଆଯିବ ସେ ସମସ୍ତ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ରିପୋର୍ଟ ଜିଲ୍ଲାପାଳ ୧୦ ଦିନ ମଧ୍ୟରେ ଦାଖଲ କରିବେ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି ।
ସେପଟେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର । କୋଭିଡ କଟକଣା ଭିତରେ ମନ୍ଦିର ଖୋଲାଯାଇପାରିବ । ସରକାର ଯାହା ଗାଇଡ଼ଲାଇନ ପ୍ରସ୍ତୁତ କରିବେ ଆମେ ତାହାକୁ କାର୍ଯ୍ୟକାରୀ କରିବୁ । ଏପର୍ଯ୍ୟନ୍ତ ସରକାରୀ ପକ୍ଷରୁ କିଛି ଚିଠି ଆମେ ପାଇନାହୁଁ । ସରକାର ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ । ଆମ ଅଧୀନରେ ମୋଟ 18 ହଜାର ମନ୍ଦିର ରହିଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ