ଭୁବନେଶ୍ବର: ପୁନଃବିକଶିତ ହେବ କଳିଙ୍ଗ ଷ୍ଟୁଡିଓ । ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତାକାଲି ଅପରାହ୍ନରେ କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି(ବୁଧବାର) ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି ।
କୋଭିଜ୍ ନିୟମ ଅନୁପାଳନପୂର୍ବକ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିସହିତ ଷ୍ଟୁଡିର ବିକାଶ ନେଇ ପ୍ରସ୍ତୁତ କରାଯାଇଥିବା ନକ୍ସାର ମଡେଲକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରଦର୍ଶନ କରାଯିବ । କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ସମୀକ୍ଷା ବେଳେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ଼କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହ, ଇପିକଲର ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାୱଲେ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ନିଗମର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ