ଭୁବନେଶ୍ବର: ରାଜଧାନୀ ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟସ୍ଥ ପୋଖରୀରୁ ସମ୍ଭ୍ରାନ୍ତ ଯୁବକଙ୍କ ମୃତଦେହ ଉଦ୍ଧାର । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଯୁବକ ଜଣକ ଚଷମା ପିନ୍ଧିଥିବା ବେଳେ ହାତରେ ଏକ ସ୍ମାର୍ଟଘଡ଼ି ସହ ଦାମୀ ଚପଲ ପିନ୍ଧିଥିବା ଦେଖା ଯାଇଛି ।
![ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ସମ୍ଭ୍ରାନ୍ତ ଯୁବକଙ୍କ ମୃତଦେହ](https://etvbharatimages.akamaized.net/etvbharat/prod-images/13315629_deadbody.jpg)
ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ମନୀଷ ଚନ୍ଦ୍ର ଦାଶ ବୋଲି ଜଣା ପଡ଼ିଛି । ସେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ଯୁବକଙ୍କ ନିକଟରୁ ସ୍ମାର୍ଟ ୱାଚ୍, ମନିପର୍ସ ଆଦି ଜବତ ହୋଇଛି । ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
![ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକଙ୍କ ପୁଅ ମୃତଦେହ](https://etvbharatimages.akamaized.net/etvbharat/prod-images/od-bbs-02-deadbody-found-avb-7203832_10102021170948_1010f_1633865988_493.jpg)
ଗତକାଲି(ଶନିବାର) ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସଙ୍କୁ ସୂଚନା ଦେଇଥିଲେ । ଏହାପରେ ଆଜି(ରବିବାର) ପୁଅ ନିଖୋଜ ହେବା ନେଇ ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସମସ୍ତ ପୋଲିସ ଷ୍ଟେସନକୁ ଅବଗତ କରାଯାଇଥିଲା ।
ଆଜି(ରବିବାର) ସକାଳୁ ମନୀଷଙ୍କ ମୋବାଇଲ ଲୋକେସନ ଥାନା ଅଞ୍ଚଳରେ ମିଳିଥିଲା । ପୋଲିସ ଖୋଜାଖୋଜି ଚଳାଇଥିବା ବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାଷୁଥିବା ଦେଖିବାକୁ ମିଳିଥିଲା ।
ସେପଟେ ପୁଅର ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ । ସେ ପୋଷ୍ଟ ସେୟାର କରି ଲେଖଛନ୍ତି ଯେ, "ଗୁଡୁକୁ ହରାଇଲି ସବୁ ଦିନ ଲାଗି । ପ୍ରଭୁ ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ । ହତଭାଗା ବାପା ।"
![ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକଙ୍କ ପୁଅ ମୃତଦେହ](https://etvbharatimages.akamaized.net/etvbharat/prod-images/od-bbs-02-deadbody-avo-7203832_10102021162538_1010f_1633863338_579.jpg)
ତେବେ କିଭଳି ଭାବରେ ଯୁବକଙ୍କ ମୃତ୍ୟୁ ହୋଇଛି ଓ ଏଠାକୁ କିଭଳି ଭାବରେ ମୃତଦେହ ଆସିଲା ତାହାକୁ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଭୁବେନଶ୍ବର ଡିସିପି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ