ଭୁବନେଶ୍ବର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଏମ୍ସର ଓପିଡ଼ି ବନ୍ଦ କରାଯାଇଛି । ଏମ୍ସରେ କିଛି ଡାକ୍ତର କରୋନା ପଜିଟିଭ୍ ହୋଇସାରିଥିବା ଜଣାପଡିବା ପରେ ଚିନ୍ତା ବୃଦ୍ଧି ପାଇଥିଲା । ତେବେ ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ସେହିପରି ଡେ କେୟାର, ରେଡିଓଥେରାପି, ଡାଏଲିସିସ୍, ଆଘାତ ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର, ଟେଲି ମେଡିସିନ୍ ଏବଂ ଟେଲିକନ୍ସଲଟେସନ୍ ସେବା, ଆଇପିଡି ସେବା, ଫୁସଫୁସ ବିଭାଗ, ଆନାସ୍ଥେସିଓଲୋଜି ପାଇଁ ଓପିଡ଼ି ଜାରି ରହିବ । 26 ଏପ୍ରିଲ ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିଥିବା ରୋଗୀଙ୍କୁ ପ୍ରବେଶ ଦ୍ବାରରେ ସେମାନଙ୍କର ଅନଲାଇନ୍ ବୁକିଂ ନମ୍ବର ଦେଖାଇ ନିଜ ନିଜ ବିଭାଗରେ ପ୍ରବେଶ କରିବାକୁ ଅନୁମତି ମିଳିବା ନେଇ ବ୍ୟବସ୍ଥା କରାଯାଇଛି ।
ବୁକିଂ କରିଥିବା ବ୍ୟକ୍ତି କେବଳ ଆଟେଣ୍ଡାଣ୍ଟ ସହିତ ଡାକ୍ତରଖାନା ପରିସରରେ ପ୍ରବେଶ କରିବାକୁ ଏବଂ କୋଭିଡ ପ୍ରୋଟୋକଲ ଗୁଡିକୁ କଡାକଡି ଭାବରେ ପାଳନ କରିବେ । ଯଦିଓ ୱାକ-ଇନ୍-ଓପିଡି ସେବା ବନ୍ଦ ହୋଇଯିବ, ତେବେ ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ ସେବା ଜାରି ରହିବ । ପ୍ଲେ ଷ୍ଟୋରରୁ ଏହି ଆପ୍ ମାଗଣାରେ ଡାଉନଲୋଡ୍ ହୋଇପାରିବ ଏବଂ ଟେଲି ମେଡିସିନ୍ ବିବରଣୀ ଏମ୍ସ ଭୁବନେଶ୍ବରର ଅଫିସିଆଲ୍ ୱେବସାଇଟ୍ (www.aiimsbhubaneswa.nic.in) ରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି ।
ସେହିପରି ଟେଲିମେଡିସିନ ସେବା ସୋମବାର ଠାରୁ ଶୁକ୍ରବାର ସକାଳ 9ରୁ ସନ୍ଧ୍ୟା 5 ଏବଂ ଶନିବାର ଦିନ ପୂର୍ବାହ୍ନ 9 ରୁ ଅପରାହ୍ନ 1ଟା ଯାଏଁ ଉପଲବ୍ଧ ହେବ । ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ସ ସୋମବାର ଠାରୁ ଶୁକ୍ରବାର ସକାଳ 08:30ରୁ ସନ୍ଧ୍ୟା 5 ଟା ଏବଂ ଶନିବାର ଦିନ 8:30ରୁ ଅପରାହ୍ନ 01 ଯାଏଁ ସେବା ଯୋଗାଇବା ନେଇ ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ